ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ: ଟ୍ରାଞ୍ଜିଟ୍ ପାସ୍ ନାହିଁ, ୮୬୪.୪୬ କୋଟି ଚଳୁ

ଭୁବନେଶ୍ୱର: ଓଡ଼ିଶା ଲଘୁ ଖଣିଜ ରିହାତି ନିୟାମବଳୀ-୨୦୧୬ ଅନୁଯାୟୀ ଠିକାଦାରଙ୍କ ବିଲଠାରୁ ଅନ୍ୟାନ୍ୟ ଦେୟ ବିନା ରୟାଲଟି ନିମନ୍ତେ ପ୍ରାଧିକୃତ ଉତ୍ସ ବା ସଂସ୍ଥାକୁ ଲଘୁ ଖଣିଜ କ୍ରୟ ଟ୍ରାଞ୍ଜିଟ୍ ପାସ୍ ନ ଦେବାରୁ ୮୬୪.୪୬ କୋଟି ଟଙ୍କା ରାଜସ୍ୱ ବାଟମାରଣା ହୋଇଛି। ଦ୍ୱିତୀୟରେ ରାଜ୍ୟରେ ବେଆଇନ ଲଘୁ ଖଣିଜ ଖନନ ଓ ଚୋରି ରୋକିବା ପାଇଁ ଥିବା ଯାଞ୍ଚ ଓ ମନିଟରିଂ ପ୍ରଣାଳୀର ଦୁର୍ବଳତା ଓ ପ୍ରଭାବହୀନତାକୁ ଦର୍ଶାଉଛି। ବୁଧବାର ବିଧାନସଭାରେ ଉପସ୍ଥାପିତ ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ ବା ସିଏଜି ରିପୋର୍ଟରେ ପ୍ରକାଶ ପାଇଛି। ଉକ୍ତ ରିପୋର୍ଟରେ କୁହାଯାଇଛି ଯେ, ରାଜ୍ୟରେ ୨୦୧୫ରୁ ୨୦୨୨ ମଧ୍ୟରେ ଲଘୁ ଖଣିଜରୁ ମୋଟ୍ ୨୯୬୮.୭୫ କୋଟି ରାଜସ୍ୱ ଆଦାୟ ହୋଇଥିଲା। ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ରାଜ୍ୟର ୨୨ଟି ତହସିଲର ୫୨୦ଟି ଖାଦାନକୁ ଯାଞ୍ଚ କରିଛି ସିଏଜି ଟିମ୍‌। ଯାଞ୍ଚ ବେଳେ ୧୪୭ଟି ଖାଦାନ ଚାଲୁଥିଲା ଅର୍ଥାତ୍ ମାତ୍ର ୨୮.୨୭% ଖାଦାନ ସଚଳ ଥିଲା। ୩୭୩ଟି ଚାଲୁନଥିଲା, ଅର୍ଥାତ୍ ୭୧.୭୩% ଖାଦାନ ଅଚଳ ଥିବା ଦେଖିଥିଲେ। ଜଳେଶ୍ୱର, ଗୁରୁଣ୍ଡିଆ ଓ ଜଗତସିଂହପୁରର ତହସିଲଦାର ଲିଜ୍ ପାଇଥିବା ଲୋକଙ୍କୁ ମାଇନିଂ ପ୍ଲାନ୍ ଦେଇଥିଲେ ବି ପରିବେଶ ଅନୁମତି ବା ଇସି ପାଇଁ ଆବେଦନ କରିନଥିଲେ। ଫଳରେ ଧାର୍ଯ୍ୟ ସମୟରେ ଖାଦାନ ନିଲାମ ନହେବାରୁ ରାଜ୍ୟର ୨୦.୧୦ କୋଟି ଟଙ୍କା କ୍ଷତି ହୋଇଥିଲା। ଲିଜଧାରୀମାନେ ଲିଜ୍ ନ କରି ଖାଦାନରୁ ଲଘୁ ଖଣିଜ ପଦାର୍ଥ ଖୋଳି ଚାଲିବାରୁ ବେଆଇନ ଭାବେ ୪.୩୮ କୋଟି ଟଙ୍କା ନେଇଯାଇଥିଲେ। ପରେ ସାମ୍ବାଦିକଙ୍କୁ ଭୁବନେଶ୍ୱରରେ ଅବସ୍ଥାପିତ ସିଏଜି ଅତୁଲ ପ୍ରକାଶ କହିଛନ୍ତି ଯେ, ଓଡ଼ିଶା ଲଘୁ ଖଣିଜ ରିହାତି ନିୟମାବଳୀ, ୨୦୧୬ ଅଧିନରେ, ଓଡ଼ିଶା ସରକାରଙ୍କ ଦ୍ୱାରା ସଂଶୋଧନ ପରେ, ପୂର୍ବ ସଂଶୋଧିତ ହାରରେ ଖଣିଜ ରାଜସର ମୂଲ୍ୟାଙ୍କନରେ ରେଣ୍ଟ୍ ଏବଂ ରୟାଲଟିର ପ୍ରୟୋଗ ଯୋଗୁଁ ୮.୪୦ କୋଟି ଟଙ୍କା ରାଜସ କ୍ଷତି ଘଟିଲା। ଲିଜ୍ ଧାରୀମାନଙ୍କ ଠାରୁ ବକେୟା ଖଣିଜ ଦେୟ, ସୁଧ ସହିତ, ୯୨.୨୮ ଲକ୍ଷ ଟଙ୍କା ହାସଲ ହୋଇପାରିନାହିଁ। ଲିଜଧାରୀ ମାନେ ଲିଜ୍ ବିଡ୍ କାର୍ଯ୍ୟକାରୀ ନକରି ଏବଂ ପରିବେଶ ମଞ୍ଜୁରୀ ବିନା ଖଣି କାର୍ଯ୍ୟ ଜାରି ରଖିଥିଲେ, ଯାହାପାଇଁ ଲିଜ୍‌ଧାରୀମାନଙ୍କୁ ବେଆଇନ ଖଣି ଉତ୍ତୋଳନ ପାଇଁ ୪.୩୮ କୋଟି ଟଙ୍କା ମୂଲ୍ୟ ଦେବାକୁ ପଡ଼ିବ। ଜିଲ୍ଲା ସ୍ତରୀୟ କମିଟି ଜଙ୍ଗଲ ଜମିରେ କେନ୍ଦ୍ର ସରକାରଙ୍କ ପୂର୍ବ ଅନୁମୋଦନ ବିନା ଖଣି କାର୍ଯ୍ୟକୁ ଅନୁମତି ଦିଆଯାଇଥିଲା ଏବଂ ସେଠାରେ ଆଇନଗତ ଅଧିକାର ବିନା ୪.୭୭ ଲକ୍ଷ ଘମି ଲଘୁ ଖଣିଜ ପଦାର୍ଥର ଖନନ କରାଯାଇଥିଲା, ଯାହାଫଳରେ ୫୧.୬୯ କୋଟି ଟଙ୍କା ଅଣ-ଆଦାୟ ରହିଥିଲା। ଅତୁଲ ପ୍ରକାଶ କହିଛନ୍ତି ଯେ, ଅନୁମୋଦିତ ଖଣି ଯୋଜନା ଠାରୁ ଅଧୁକ ଖଣିଜ ପଦାର୍ଥ ଖନନ ଓ ତହସିଲଦାରଙ୍କ ଦ୍ୱାରା ‘ୱାଇ’ ଫର୍ମର ଯାଞ୍ଚ ନହେବା ଦ୍ୱାରା ୮୦,୭୨୧.୪୦ ଘ.ମି ପଥରର ବେଆଇନ୍ ଉତ୍ପାଦନ ହୋଇଥିଲା। ଏଥିପାଇଁ ଲିଜଧାରୀମାନେ ଖଣିଜ ମୂଲ୍ୟ ବାବଦକୁ ୩୩.୫୦ କୋଟି ଟଙ୍କା ଦେବାକୁ ପଡ଼ିବ। ବିଭାଗର ଉଦାସୀନ ମନୋଭାବ ଯୋଗୁଁ ଧର୍ମଶାଳା ତହସିଲ ଅଧିନରେ ଥିବା ଡଙ୍କାରୀ କଳା ପଥର ଖଣିରୁ ଉତ୍ତୋଳନ ହୋଇଥିବା ଅତିରିକ୍ତ ପରିମାଣର ପୁନଃମୂଲ୍ୟାୟନ ହୋଇପାରି ନାହିଁ। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ନୂତନ ନିର୍ଦ୍ଦେଶ ଦିଆଯାଇପାରିଲା ନାହିଁ। ଫଳସ୍ୱରୂପ ୫୮.୬୩ କୋଟି ଟଙ୍କାର ଖଣିଜ ରାଜସ ଆଦାୟ ହୋଇପାରିନାହିଁ। ଖଣି ଆରମ୍ଭ ହେବା ପୂର୍ବରୁ ଓ ଜିଲ୍ ଅବଧ ବନ୍ଦ୍ ହେବା ପରେ ଉତ୍ସଗୁଡ଼ି କର ମାପ ଗ୍ରହଣ କରିବାର ପ୍ରଣାଳୀ ଗ୍ରହଣ ନ କରିବା ଦ୍ୱାରା ୮.୫୦ ଲକ୍ଷ ଘ.ମି କଳା ପଥର ଚୋରି ହୋଇଥିଲା ଏବଂ ଖଣିଜ ରାଜସରେ ୯୮.୩୦ କୋଟି ଟଙ୍କା କ୍ଷତି ହୋଇଛି ବୋଲି ସିଏଜି ତାଙ୍କ ରିପୋର୍ଟରେ ସ୍ପଷ୍ଟ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଉପଏଜି ସ୍ୱାମୀ ସୁଭମ ବୈଜୟନାଥ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। 

CAG report presented in the Assembly: No transit passes