‘କାଡାଭେରିକ୍‌’ ଶପଥ ନେଲେ କିମ୍‌ସ ପ୍ରଥମ ବର୍ଷ ଏମ୍‌ବିବିଏସ୍ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଚିକିତ୍ସା ଶିକ୍ଷାର ନୈତିକ ମାନକୁ ଉନ୍ନତ କରିବା ଉଦ୍ଦେଶ୍ୟରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ ସାଇନ୍‌ସେସ୍ (କିମ୍‌ସ)ର ମାନବ ଆନାଟୋମି ବିଭାଗ ପକ୍ଷରୁ କାଡାଭେରିକ୍ ଶପଥ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମ୍‌ବିବିଏସ୍ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନେ ‘କାଡାଭେରିକ୍ ଶପଥ’ ଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନେ ସେମାନଙ୍କର ଡାକ୍ତରୀ ପାଠପଢ଼ା ଆରମ୍ଭ କରିବା ସମୟରେ ସେମାନଙ୍କ ମଧ୍ୟରେ ସମ୍ମାନ, ଦାୟିତ୍ୱବୋଧ ଏବଂ ନୈତିକ ପ୍ରତିବଦ୍ଧତାର ଗଭୀର ଭାବନା ଜାଗ୍ରତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । କିମ୍‌ସ ମେଡ଼ିକାଲ୍‍ କଲେଜ ଅଧ୍ୟକ୍ଷ ପ୍ରଫେସର ଅମ୍ବିକା ପ୍ରସାଦ ମହାନ୍ତି ବ୍ୟକ୍ତିଗତ ଅନୁଭୂତି ବିଷୟରେ ସୂଚନା ଦେଇ କହିଲେ, ଏହା ପରମ୍ପରାଠାରୁ ଅଧିକ। “କାଡାଭରିକ୍ ଶପଥ’ କେବଳ ଏକ ପ୍ରଥା ନୁହେଁ ବରଂ ଆଶାୟୀ ଡାକ୍ତରମାନେ ସେମାନଙ୍କର”ପ୍ରଥମ ଶିକ୍ଷକ’- ମୃତଦେହ ପ୍ରତି ଦେଇଥିବା ଏକ ଅର୍ଥପୂର୍ଣ୍ଣ ପ୍ରତିଶ୍ରୁତି । ଏଥିରେ ମୃତ ଶରୀରକୁ ସମ୍ମାନ ଦେବା, ଗୋପନୀୟତା ବଜାୟ ରଖିବା ଏବଂ ସମାଜର ସେବା କରିବାର ଗୁରୁତ୍ୱକୁ ଦର୍ଶାଯାଇଥାଏ । ଏହା ଡାକ୍ତରୀ ନୈତିକତାର ମୂଳଦୁଆ ବୋଲି ପ୍ରଫେସର ମହାନ୍ତି କହିଥିଲେ। ଏହି ସମାରୋହରେ ଶରୀରଦାନ ଭଳି ମହତ କାର୍ଯ୍ୟ ଉପରେ ଆଲୋକପାତ କରାଯାଇଥିଲା। ଏହାକୁ ‘ଲିଭିଂ ଆଫ୍ଟର ଡେଥ୍‌’ ବୋଲି ବର୍ଣ୍ଣନା କରାଯାଇ ଛାତ୍ରଛାତ୍ରୀଙ୍କୁ ଶରୀରଦାନ ପାଇଁ ଆଗ୍ରହ ପ୍ରକାଶ କରୁଥିବା ବ୍ୟକ୍ତି ବିଶେଷ ଏବଂ ସମଜା ପ୍ରତି ସେମାନଙ୍କ ପରିବାରର ଅମୂଲ୍ୟ ଅବଦାନ ବିଷୟରେ ସଚେତନ କରାଯାଇଥିଲା। କିମ୍‌ସ ଆନାଟୋମି ବିଭାଗର ମୁଖ୍ୟ ପ୍ରଫେସର ସ୍ମୃତି ରେଖା ମହାନ୍ତି କହିଲେ, ଶରୀର ଦାନ କରୁଥିବା ବ୍ୟକ୍ତି ବିଶେଷଙ୍କ ତ୍ୟାଗ କେବଳ ଡାକ୍ତରୀ ଶିକ୍ଷାର ଗୁଣବତ୍ତା ବୃଦ୍ଧି କରେ ନାହିଁ ବରଂ ଚିକିତ୍ସା ବିଜ୍ଞାନକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ଅବସରରେ ଛାତ୍ରଛାତ୍ରୀମାନେ ନିଜ ଅର୍ଜିତ ଜ୍ଞାନକୁ ସମାଜର ଉନ୍ନତି ପାଇଁ ବ୍ୟବହାର କରିବାକୁ ସାମୂହିକ ପ୍ରତିଶ୍ରୁତି ଦେଇଥିଲେ। ବିଭାଗର ବରିଷ୍ଠ ପ୍ରଫେସର ପ୍ରଜ୍ଞା ପାରମିତା ସାମନ୍ତ କହଥିଲେ ଯେ, ଡାକ୍ତରୀ ଛାତଛାତ୍ରୀମାନେଙ୍କ ଭବିଷ୍ୟତ ଅଭ୍ୟାସ କେବଳ ରୋଗ ଭଲ କରିବା ନୁହେଁ ବରଂ ଡାକ୍ତର-ରୋଗୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ କରିବା। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ କିମ୍‍ସରେ ଡାକ୍ତରୀ ଶିକ୍ଷାରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି କିମସ୍ ଆନାଟୋମି ବିଭାଗର ବରିଷ୍ଠ ପ୍ରଫେସର ପ୍ରଫେସର ବିଜୟ କୁମାର ଦତ୍ତ ମତ ପ୍ରକାଶ କରିଥିଲେ।