କ୍ୟାବିନେଟ୍‌ ବୈଠକରେ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ: ଓଡ଼ିଶା ଇଲେକ୍ଟ୍ରୋନିକ୍ସ ନୀତି ସହିତ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଅଧ୍ୟାଦେଶ

ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଓଡ଼ିଶା ଇଲେକ୍ଟ୍ରୋନିକ୍ସ ନୀତିକୁ ରାଜ୍ୟ କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିଛି । ଓଡ଼ିଶା ଇଲେକ୍ଟ୍ରୋନିକ୍ସ ଶିଳ୍ପର ପ୍ରସାର ନିମନ୍ତେ ଏହାକୁ ଲାଗୁ କରାଯିବ । ଏଥିରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରର ସୁପରିଚାଳନା ପାଇଁ ଅଧ୍ୟାଦେଶ, ରାଜ୍ୟ ଇଲେକ୍ଟ୍ରୋନିକ୍ସ ନୀତି-୨୦୨୧, ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ପଲିସି-୨୦୧୫ରେ ସଂଶୋଧନ, କ୍ୟାପିଟାଲ ହସ୍ପିଟାଲରେ ପିଜି ଇନଷ୍ଟିଚ୍ୟୁଟ୍ ଓ ଟ୍ରମା କେୟାର କୋଠା ନିର୍ମାଣ ନିମନ୍ତେ ୨୩୫କୋଟି ଟଙ୍କାର ଟେଣ୍ଡର ସମେତ ମୋଟ ୨୪ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି ।ଏଥିରେ ପ୍ରଥମ ୧୦ଟି ନୂଆ ନିବେଶକୁ ଉତ୍ପାଦନ ଭିତ୍ତିକ ସହୟତା ମିଳିବ । ସହାୟତା ବାବଦରେ ୫ ବର୍ଷ ଯାଏ ବାର୍ଷିକ କାରବାରରେ ୧ ପ୍ରତିଶତ ମିଳିବ । ୟୁନିଟ୍‌ ଗୁଡ଼ିକୁ ପୁଞ୍ଜିନିବେଶ ଆଧାରରେ ୧୦ରୁ ୨୫୦ କୋଟି ଯାଏଁ ସହାୟତା ପ୍ରଦାନ କରାଯିବ ।

ସେହିପରି ଉଦ୍ୟୋଗୀମାନଙ୍କୁ ବିଦ୍ୟୁତ୍‌ ଶୁଳ୍କ, ଇନ୍ସପେକ୍ସନ ଫି ୫ ବର୍ଷ ପର୍ଯ୍ୟନ୍ତ ଛାଡ଼ କରାଯିବ । ଯୋଗ୍ୟ ଉଦ୍ୟୋଗୀଙ୍କୁ ବିଦ୍ୟୁତ୍‌ ବିଲ୍‌ର ୩୦ ପ୍ରତିଶତ ସର୍ବାଧିକ ୫୦ ଲକ୍ଷ ଯାଏଁ ରିହାତି ମିଳିବ । ଉଦ୍ୟୋଗୀଙ୍କୁ ଜମି କ୍ରୟ ସମୟରେ ଷ୍ଟାମ୍ପଡ୍ୟୁଟି ୧୦୦ ପ୍ରତିଶତ ଛାଡ଼ କରାଯିବ । ଚାଷଜମିକୁ ଶିଳ୍ପ ଉପଯୋଗୀ କରିବାକୁ ହେଉଥିବା ଖର୍ଚ୍ଚର ୧୦୦ ପ୍ରତିଶତ ଦିଆଯିବ । ମହିଳା, ଏସ୍‌ସି ବା ଏସ୍‌ଟି ଏବଂ ଭିନ୍ନକ୍ଷମଙ୍କୁ ସର୍ବାଧିକ ୧ କୋଟି ଯାଏଁ ଅତିରିକ୍ତ ସହାୟତା ପ୍ରଦାନ କରାଯିବ । ବ୍ୟଙ୍କରୁ ଋଣ କରି ଠିକ୍‌ ସମୟରେ ଶୁଝୁଥିଲେ ଋଣ ଉପରେ ୫ ପ୍ରତିଶତ ରିହାତି ମିଳିବା ନେଇ କ୍ୟାବିନେଟ୍‌ ବୈଠକରେ ପ୍ରସ୍ତାବ ପାରିତ ହୋଇଛି ।

ସେହିପରି ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର ଓ ତା’ର ପାଶ୍ୱର୍ଦେବାଦେବୀ ମନ୍ଦିର ଓ ମଠଗୁଡ଼ିକର ସୁପରିଚାଳନା ନିମନ୍ତେ ରାଜ୍ୟ ସରକାର ଏକ ଅଧ୍ୟାଦେଶ ଆଣିଛନ୍ତି । ଏହି ଅଧ୍ୟାଦେଶ ମାଧ୍ୟମରେ ପରିଚାଳନା କମିଟି ଗଠନ, କମିଟିକୁ ଦାୟିତ୍ୱ ଓ କ୍ଷମତା ପ୍ରଦାନ, ପ୍ରଶାସକଙ୍କ ନିଯୁକ୍ତି ଓ କ୍ଷମତା, ମନ୍ଦିରର ସମସ୍ତ ସ୍ଥାବର-ଅସ୍ଥାବର ସମ୍ପତ୍ତିର ରକ୍ଷଣାବେକ୍ଷଣ, ସେବାୟତଙ୍କ ଭୂମିକା ଓ ଦାୟିତ୍ୱ, ମନ୍ଦିର ପାଣ୍ଠି ସ୍ଥାପନ ଓ ଏହାର ପରିଚାଳନା ଆଦି ପାଇଁ ଏହି ଆଇନରେ ବ୍ୟବସ୍ଥା ରହିବ। ଏହା ସହିତ ମନ୍ଦିରକୁ ଭକ୍ତଙ୍କ ଆଗମନ ସହ ଭକ୍ତମାନଙ୍କୁ ପୂଜାର୍ଚ୍ଚନା ପାଇଁ ସବୁ ସୁବିଧା ଉପଲବ୍ଧ କରାଇବା, ମନ୍ଦିରର ରୀତିନୀତିକୁ ଅଧିକ ସୁବ୍ୟବସ୍ଥିତ କରାଇବ। ଏହି ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ନିମନ୍ତେ ପଠାଯାଇଛି । ଏହି ଅଧ୍ୟାଦେଶକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ପରାମର୍ଶରେ ଅଣାଯାଇଛି ବୋଲି ବିସ୍ତୃତ ଆଲୋଚନା ପରେ ଏକ କ୍ଲଜ୍‌କୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ପରେ ସାମିଲ କରାଯାଇଛି । ଏହା ସହିତ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ନିମନ୍ତେ ୨୩୫.୦୮କୋଟି ଟଙ୍କାର ଟେଣ୍ଡର ମେସର୍ସ ଏଲଆଣ୍ଡଟି କମ୍ପାନୀକୁ ପ୍ରଦାନ କରାଯିବାକୁ କ୍ୟାବିନେଟ ମଞ୍ଜୁର କରିଛନ୍ତି ।

Comments (0)
Add Comment