ଜାନୁଆରୀ ଶେଷ ସୁଦ୍ଧା ପିକ୍‌ରେ ରହିବ :‘ରାଜ୍ୟରେ ୩୦ହଜାର ଛୁଇଁବ ଦୈନିକ ସଂକ୍ରମଣ’

‘ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଜାନୁଆରୀ ଶେଷ ସୁଦ୍ଧା ଏହା ପିକ୍‌ରେ ରହିବ। ଏହି ସମୟରେ ରାଜ୍ୟରେ ଦୈନିକ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହେବେ।’ ସେହିଭଳି ପିକ୍ ସମୟରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିପାରେ ବୋଲି କହିଛନ୍ତି ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ଅଶୋକ ମହାପାତ୍ର ।
ସେ କହିଛନ୍ତି, କରୋନା ସଂକ୍ରମଣର ପିକ୍‌ ସମୟରେ ଦୈନିକ ୩୦ରୁ ୪୦ ଜଣଙ୍କ ମୃତ୍ୟୁ ହେବା ନେଇ ଆଶଙ୍କା କରାଯାଉଛି। ୬ ମାସ ତଳେ ଟିକା ନେଇଥିଲେ ବି ଏହା କାମ କରିବ ନାହିଁ। ବୁଷ୍ଟର ଡୋଜର ଆବଶ୍ୟକତା ରହିଛି। ସେହିପରି ଡେଲଟା ଠାରୁ ଓମିକ୍ରନ ୪ଗୁଣ ଅଧିକ ସଂକ୍ରମିତ କରୁଛି।
ସେହିଭଳି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି କି, ଗୋଟିଏ ମହାମାରୀରେ ପ୍ରଥମେ ସଂକ୍ରମଣ ବଢ଼ିବ, ତା’ପରେ କିଛି ଦିନ ସମାନ୍ତରାଳରେ ରହିବ ଓ ଏହାପରେ କମିବ। ବର୍ତ୍ତମାନ ଦେଶରେ ସଂକ୍ରମଣ ବଢୁଛି, ସେହି ହିସାବରେ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢ଼ୁଛି।
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଛନ୍ତି, ସଂକ୍ରମଣ ବଢ଼ିଲେ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ୍‌ ରହିଛି।ଜେନେରାଲ ବେଡ୍‌ରେ ୬.୫୧%, ଆଇସିୟୁରେ ୧୨.୫୧% ଓ କ୍ରିଟିକାଲ କେୟାରରେ ୩.୬୨% ରୋଗୀ ଅଛନ୍ତି। ବର୍ତ୍ତମାନ ୫ଟି ଦିଗ ଉପରେ ନଜର ରଖାଯାଇଛି। ଟେଷ୍ଟ, ପଜିଟିଭିଟି ରେଟ୍‌, ହସ୍ପିଟାଲାଇଜେସନ, ମୃତ୍ୟୁ ହାର ଓ ଲୋକଙ୍କ ବ୍ୟବହାରକୁ ଦେଖି ଆଗାମୀ ପଦକ୍ଷେପ ନିଆଯିବ।

Comments (0)
Add Comment