ବସ ଧର୍ମଘଟ ପ୍ରତ୍ୟାହୃତ

ଭୁବନେଶ୍ବର: ଆଜି ସନ୍ଧ୍ୟାରୁ ହେବାକୁ ଥିବା ବସ ଧର୍ମଘଟ ପ୍ରତ୍ୟାହୃତ ହୋଇଛି । ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ ମାଲିକ ସଂଘ ବସ ଧର୍ମଘଟ ନିଷ୍ପତ୍ତିରୁ ଓହରିଛି । ପରିବହନ ମନ୍ତ୍ରୀଙ୍କ ସହ ବୈଠକ ପରେ ସଂଘ ଧର୍ମଘଟରୁ ଓହରିଛି ।  ପ୍ରକାଶ ଯେ  ଆଜିଠୁ ରାଜ୍ୟର ଦକ୍ଷିଣାଞ୍ଚଳ ଏବଂ ପଶ୍ଚିମାଞ୍ଚଳର ୧୪ ଜିଲ୍ଲାରେ ୨୪ ଘଣ୍ଟିଆ ବସ୍ ସେବା ବନ୍ଦ ରଖିବାକୁ ଚେତାବନୀ ଦେଇଥିଲା ପଶ୍ଚିମାଞ୍ଚଳ ଏବଂ ଦକ୍ଷିଣାଞ୍ଚଳର ୨୪ଟି ଘରୋଇ ବସ୍ ମାଲିକ ସଂଘର ସଦସ୍ୟ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବସ୍ ନ ଚଳାଇବାକୁ ସଂଘ ନିଷ୍ପତ୍ତି ନେଇଥିଲା। ଆଜି ସଂଧ୍ୟା ୬ଟାରୁ ୮ ତାରିଖ ସଂଧ୍ୟା ୬ଟା ଯାଏଁ ୧୪ ଜିଲ୍ଲାରେ ଘରୋଇ ବସ୍ ଗଡ଼ିବନି ବୋଲି ଚେତାବନୀ ଦେଇଥିଲା ସଂଘ। ରାଜ୍ୟ ସରକାରଙ୍କ ଦ୍ୱିତୀୟ ପର୍ୟ୍ୟାୟ ତଥା ବ୍ଲକ ଏବଂ ଜିଲ୍ଲା ସଦର ମହକୁମା ମଧ୍ୟରେ ଟାୟାର-ଟୁ ଏସି ବସ୍ ସେବା ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିଲା। ସଂଘଗୁଡିକର ଅଭିଯୋଗ ଯେ, ପଞ୍ଚାୟତରୁ ବ୍ଲକ୍ ମୁଖ୍ୟାଳୟକୁ ପୂର୍ବ ସରକାର ଅମଳରେ ‘ଲକ୍ଷ୍ମୀ ବସ୍’ ଚାଲୁଥିଲା। ଏବେ ଯଦି ବ୍ଲକ ଏବଂ ଜିଲ୍ଲା ମୁଖ୍ୟାଳୟ ମଧ୍ୟରେ ବସ୍ ଚଳାଚଳ କରେ, ତେବେ ସେହି କ୍ଷତି ଆଉ ସହିବା ଅବସ୍ଥାରେ ନାହୁଁ । ରାଜ୍ୟ ସରକାର ଏ ଦିଗରେ ବିହିତ ପଦକ୍ଷେପ ନ ନେଲେ ଆଜିଠୁ ଆନ୍ଦୋଳନର ଧମକ ଦିଆଯାଇଥିଲା।