ବସ୍-ଅଟୋ ମୁହାଁମୁହିଁ ଧକ୍କା, ୨ ଶିଶୁଙ୍କ ସମେତ ୬ ମୃତ

ଗଞ୍ଜାମ: ଅଟୋକୁ ଧକ୍କା ଦେଇ ଘୋଷାଡ଼ି ନେଲା ଯାତ୍ରୀବାହୀ ବସ୍ । ଗଞ୍ଜାମ ପୁରୁଷୋତ୍ତମପୁର ଥାନା ଲଡକାପଲ୍ଲୀ ଛକରେ ବସ୍ ଏବଂ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ୨ ଜଣ ନାବାଳିକା ରହିଥିବା ଖବର ମିଳିଛି । ୪ ଜଣ ଆହତଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ଅଗ୍ନିଶମ ବାହିନୀ କର୍ମଚାରୀ ଏବଂ ପୋଲିସ ପହଞ୍ଚି ଉଦ୍ଧାର କରିଥିଲେ । ମିଳିଥିବା ସୂଚନାରୁ ଏକ ଅଟୋ କିଛି ଲୋକ ନେଇ ସୋରଳ ରୋଡ୍ ଏରେଣ୍ଡ୍ରାରୁ ସିଂହାସନୀ ପୀଠକୁ ଏକ ଭୋଜି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିଲେ । ଏହି ସମୟରେ ପୁରୁଷୋତ୍ତମପୁର ଥାନା ସିକୁଳା ନିକଟସ୍ଥ ଲଡକାପଲୀଠାରେ ଡାଇମଣ୍ଡ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଗୁରୁତର ଆହତମାନଙ୍କୁ ସ୍ଥାନୀୟ ଲୋକେ କୋଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ । ମାଳି ବେହେରା, ନୃସିଂହ ବେହେରା, ଲୀଳାବତୀ ‌ବେହେରା, ନେହା ବେହେରା ଓ କିରଣ ବେହେରାଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୪ ଜଣଙ୍କ ଚିକିତ୍ସା ଜାରି ରହିଛି । ଦୁର୍ଘଟଣା ଘଟାଇବା ପରେ ବସ୍ ଟି ସେଠାରୁ ଫେରାର ହୋଇଯାଇଛି । ମୃତକଙ୍କ ପରିବାରକୁ ସହାୟତା ଦେବା ସହିତ ବସ୍ ଡ୍ରାଇଭରକୁ ଗିରଫ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପୁରୁଷୋତ୍ତମପୁର SDO ସୁଜିତ୍ କୁମାର ନାୟକ ପହଞ୍ଚି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ, ଚିକିତ୍ସା ପାଇଁ ବ୍ୟବସ୍ଥା କରାଇଥିଲେ । ସେହିପରି କୋଦଳା ପୋଲିସ ଟିମ୍ ପହଞ୍ଚି ଦୁର୍ଘଟଣାର ଯାଞ୍ଚ ଆରମ୍ଭ କରିଛି ।