ବସ୍ ଦୁର୍ଘଟଣାଗ୍ରସ୍ତ: ୧୨ ମୃତ, ୧୦ ଗୁରୁତର

ନୂଆଦିଲ୍ଲୀ: ହଙ୍ଗେରୀର ଏକ ଜାତୀୟ ରାଜପଥରେ ରବିବାର ସକାଳେ ପୋଲାଣ୍ଡର ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ସର୍ବିଆରୁ ପୋଲାଣ୍ଡ ଅଭିମୁଖେ ୫୭ ଜଣ ଯାତ୍ରୀ ଏବଂ ୨ ଜଣ ଚାଳକଙ୍କୁ ନେଇ ଯାଉଥିବା ଏହି ବସଟି ବୁଦାପେଷ୍ଟର ପୂର୍ବରେ ଥିବା ‘ଏମ୍-୩’ ହାଇୱେରେ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ ଖାଲକୁ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ୧୧ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଏହାବ୍ୟତୀତ ୩୭ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ବସ୍ ଭିତରେ ଫସି ରହିଥିବା ଯାତ୍ରୀମାନଙ୍କୁ କାଚ ଭାଙ୍ଗି ଉଦ୍ଧାର କରାଯାଇଥିବା ବେଳେ କ୍ରେନ୍ ସାହାଯ୍ୟରେ ବସଟିକୁ ସିଧା କରାଯାଇଛି। ୨୦୦୩ ମସିହା ପରେ ହଙ୍ଗେରୀରେ ଏହା ସବୁଠାରୁ ଭୟଙ୍କର ସଡ଼କ ଦୁର୍ଘଟଣା ବୋଲି କୁହାଯାଉଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ହଙ୍ଗେରୀ ପ୍ରଧାନମନ୍ତ୍ରୀ ପିଟର ମାଗ୍ୟାର ଏବଂ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ପୋଲାଣ୍ଡର ବୈଦେଶିକ ମନ୍ତ୍ରୀ ରାଡୋସ୍ଲାଭ ସିକୋରସ୍କି ସ୍ଥିତି ଉପରେ ନଜର ରଖିବା ସହ ହଙ୍ଗେରୀ ପ୍ରଶାସନ ସହ ନିରନ୍ତର ସମ୍ପର୍କରେ ଥିବା ପ୍ରକାଶ କରିଛନ୍ତି।