ନଦୀରେ ବୁଡ଼ି ଭାଇଭଉଣୀ ମୃତ

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁଶିଆପଡ଼ା ଗାଁରେ ନଦୀରେ ବୁଡ଼ି ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ଗାଁର ଦ୍ୱିତୀକୃଷ୍ଣ ସେଠୀଙ୍କ ଝିଅ କାଜଲ ଓ ସାଇ। ଆଜି ଭାଇଭଉଣୀ ସେମାନଙ୍କ ମା’ଙ୍କ ସହିତ ନିକଟସ୍ଥ କୁସୁମୀ ନଦୀକୁ ଗାଧୋଇବାକୁ ବାହାରିଥିଲେ। ତେବେ ମା’ ଘରୁ ବାହାରିବା ପୂର୍ବରୁ ସେମାନେ ନଦୀକୁ ଚାଲି ଯାଇଥିଲେ। ମା’ ନଦୀରେ ପହଞ୍ଚିବା ପୂର୍ବରୁ ଛୁଆମାନେ ସେଠାରେ ପହଞ୍ଚି ଯାଇଥିଲେ। ଭାଇଭଉଣୀ ନଦୀରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ। ସେତେବେଳକୁ ସେମାନଙ୍କ ମା’ ସେଠାରେ ପହଞ୍ଚି ଯାଇଥିଲେ। ଦୁଇ ଛୁଆ ବୁଡ଼ି ଯାଉଥିବା ଦେଖି ସେ ଡାକ ପକାଇଥିଲେ। ତାଙ୍କ ଡାକ ଶୁଣି ଆଖପାଖରେ ଥିବା ଗ୍ରାମବାସୀ ଦୌଡ଼ି ଆସିଥିଲେ। ସେମାନେ କାଜଲ ଓ ସାଇଙ୍କୁ ନଦୀରୁ ଉଦ୍ଧାର କରିଥିଲେ ଏବଂ ଡାକ୍ତରଖାନା ନେଇଯାଇଥିଲେ। ଡାକ୍ତରଖାନାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା। ଇଟାମାଟି ଥାନା ପୁଲିସ୍ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।