ଭୁବନେଶ୍ୱର: ଲୋକସେବା ଭବନ। ଓଡ଼ିଶାର ପ୍ରଶାସନିକ କାର୍ଯ୍ୟର ପେଣ୍ଟସ୍ଥଳୀ। ସେଠାରୁ ବି ଦଲାଲଙ୍କ ଆସର ଜମିଛି। ଏକଥା ଆମେ କହୁନାହୁଁ । ଆଜି ଜଣେ ଦଲାଲ ସେଠାରୁ ଗିରଫ ହେବା ପରେ ଏଭଳି ଚର୍ଚ୍ଚ ଜୋର ଧରିଛି । କ୍ୟାପିଟାଲ ଥାନା ପୁଲିସ ଜଣେ ଦଲାଲଙ୍କୁ ଲୋକସେବା ଭବନରୁ ଗିରଫ କରିଛି । ଗିରଫ ଜଣକ ହେଲେ ବ୍ୟାସଦେବ ରଣା । ଚାକିରି ଦେବାକୁ କହି ସେ ଜଣଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ଗିରଫ ବ୍ୟାସଦେବଙ୍କ ଠାରୁ ପଞ୍ଚାୟତିରାଜ ବିଭାଗର ଜାଲ ଆଇକାର୍ଡ ମଧ୍ୟ ଜବତ ହୋଇଛି । ଠକ ବ୍ୟାସଦେବଙ୍କ ଘର କଳାହାଣ୍ଡି ଜିଲ୍ଲା ନର୍ଲାରେ ହୋଇଥିବା ସୂଚନା ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବ୍ୟାସଦେବ ରଣା ଜାଲ ପରିଚୟପତ୍ର ଦ୍ୱାରା ବର୍ଷ ବର୍ଷ ଧରି ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗର ସେକ୍ସନ ଅଫିସର ବୋଲି ନିଜର ପରିଚୟ ଦେଉଥିଲା। ସେ ଉକ୍ତ ଜାଲ ପରିଚୟପତ୍ର ଦ୍ୱାରା ଅବଧାରେ ଲୋକସେବା ଭବନ ଭଳି ସରକାରୀ ପେଣ୍ଠ ସ୍ଥଳରେ ପ୍ରବେଶ କରୁଥିଲା। ଲୋକଙ୍କୁ ଚାକିରି ଦେବା ନାଁରେ ସେ ଟଙ୍କା ଲୁଟ କରୁଥିଲା।