ବ୍ରିଟେନ୍ ଅର୍ଥ ମନ୍ତ୍ରୀ କ୍ୱାରଟେଙ୍ଗ୍ ବରଖାସ୍ତ

ଲଣ୍ଡନ: ଇକୋନୋମିକ୍ ପ୍ୟାକେଜ୍ ଘୋଷଣା କରିବା ପୂର୍ବରୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ଶୁକ୍ରବାର ଅର୍ଥ ମନ୍ତ୍ରୀ କ୍ୱାସି କ୍ୱାରଟେଙ୍ଗ୍‌ଙ୍କୁ ବରଖାସ୍ତ କରିଛନ୍ତି । ସ୍ଥାନରେ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଜେରେମି ହଣ୍ଟ୍‌ଙ୍କୁ ଅର୍ଥ ମନ୍ତ୍ରୀ ନିଯୁକ୍ତ କରାଯାଇଛି । କ୍ୱାରଟେଙ୍ଗ୍‌ଙ୍କୁ ପଦରୁ ହଟାଇବା ପାଇଁ ବହୁଦିନ ଧରି ଦାବି ହୋଇଆସୁଥିଲା । ସେ ପ୍ରାୟ ଏକମାସ ପଦରେ ରହିବା ପରେ ଇସ୍ତଫା ଦେଇଛନ୍ତି । ତାଙ୍କ କାର୍ଯ୍ୟକାଳରେ ଟ୍ୟାକ୍ସ ହ୍ରାସ ଘୋଷଣା କରାଯାଇଥିଲା, ଯାହା ଫଳରେ ପାଉଣ୍ଡ୍‌ର ବିନିମୟ ମୂଲ୍ୟରେ ଭାରୀ ହ୍ରାସ ଘଟିଥିଲା । ଅର୍ଥ ମନ୍ତ୍ରୀଙ୍କୁ ହଟାଇବା ପରେ ପ୍ରଧାନମନ୍ତ୍ରୀ ଟ୍ରସ୍ ନିଗମ କର (କର୍ପୋରେଟ୍ ଟ୍ୟାକ୍ସ) ବୃଦ୍ଧି କରିବା ନିଷ୍ପତ୍ତି ନେଇଛନ୍ତି । ଲିଜ୍ ଟ୍ରସ୍ ସରକାର ନିକଟରେ ଦେଶର ମିନି ବଜେଟ୍ ପେଶ୍ କରିଥିଲେ, ଯାହା ମୂଲ୍ୟ ବୃଦ୍ଧିକୁ କାବୁ କରିବାରେ ବିଫଳ ହୋଇଥିଲା । ଏହାପରେ ଅର୍ଥ ମନ୍ତ୍ରୀଙ୍କୁ ପଦରୁ ହଟାନଗଲେ ପ୍ରଧାନମନ୍ତ୍ରୀଙ୍କୁ ବିଦ୍ରୋହ ସାମ୍ନା କରିବାକୁ ପଡ଼ିବ ବୋଲି କେତେକ ସାଂସଦ ଚେତାବନୀ ଦେଇଥିଲେ । ଲିଜ୍ ଟ୍ରସ୍ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ପରଠାରୁ ଆର୍ଥିକ କ୍ଷେତ୍ରରେ ସରକାରଙ୍କ ବିଫଳତା ଦେଖିବାକୁ ମିଳୁଛି ।