ଭୁବନେଶ୍ୱର : ପର୍ଯ୍ୟଟନ ଅର୍ଥନୈତିକ ଅଭିବୃଦ୍ଧିର ଧାରକ ହେବା ସହିତ ବିଭିନ୍ନ ଅଂଚଳର ଲୋକ, ସଂସ୍କୃତି ଏବଂ ପରଂପରା ମଧ୍ୟରେ ସଂଯୋଗ ସେତୁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରଠାରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଆନ୍ଧ୍ର ପ୍ରଦେଶ ପର୍ଯ୍ୟଟନ ଫୋରମ୍ ଦ୍ୱାରା ଆୟୋଜିତ ରୋଡ଼-ଶୋକୁ ଉଦ୍ଘାଟନ କରି ରାଜ୍ୟପାଳ ଏହା କହିଛନ୍ତି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଦ୍ୱାରା ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ରାଜ୍ୟ ମଧ୍ୟରେ ପର୍ଯ୍ୟଟନ ସହଯୋଗ ଦୃଢ଼ ହୋଇପାରିବ ଏବଂ ଆଂଚଳିକ ସଂଯୋଗୀକରଣ, ନିବେଶ ସୁଯୋଗ ସୃଷ୍ଟି ହେବା ସହିତ
ସ୍ଥାୟୀ ପର୍ଯ୍ୟଟନ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରୋତ୍ସାହନ ମିଳିବ ।
ଏପରି କାର୍ଯ୍ୟକ୍ରମ ଓଡିଶା ସହିତ ଆନ୍ଧ୍ର ପ୍ରଦେଶର ପର୍ଯ୍ୟଟନ ସଂପର୍କ ବୃଦ୍ଧି କରିବା ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି ରାଜ୍ୟପାଳ କହିଥିଲେ । ଆନ୍ଧ୍ର ପ୍ରଦେଶ ଓ ଓଡିଶା ମଧ୍ୟରେ ଦୃଢ଼ ଐତିହାସିକ ଏବଂ ସାଂସ୍କୃତିକ ସଂପର୍କ ରହିଛି । ଓଡିଶା ଏବଂ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଦୀର୍ଘ ଦିନ ଧରି ଐତିହାସିକ, ସାଂସ୍କୃତିକ ଏବଂ ଆର୍ଥିକ ସଂପର୍କ ବଜାୟ ରହିଛି ଏବଂ ଏଥିପାଇଁ ଅନ୍ତଃରାଜ୍ୟ ପର୍ଯ୍ୟଟନର ବିକାଶ ନିମନ୍ତେ ଅପାର ସମ୍ଭାବନା ରହିଛି ।
ଓଡିଶାର ପର୍ଯ୍ୟଟନ ଏବଂ ଟ୍ରାଭେଲ ଶିଳ୍ପ, ଆତିଥ୍ୟ କ୍ଷେତ୍ରରେ ଅଂଶୀଦାରମାନଙ୍କୁ ଆନ୍ଧ୍ର ପ୍ରଦେଶର ପ୍ରତିପକ୍ଷଙ୍କ ସହିତ ସମନ୍ୱୟ ରକ୍ଷା କରି ପର୍ଯ୍ୟଟନ ଶିଳ୍ପର ବିକାଶ କ୍ଷେତ୍ରରେ ଏହି ରୋଡ ଶୋ ଉତ୍ସାହିତ କରିବ । ଉଭୟ ରାଜ୍ୟରେ ପର୍ଯ୍ୟଟନ ସମ୍ଭାବନା ଥିବା ସ୍ଥାନଗୁଡ଼ିକର ଚିହ୍ନଟ, ପର୍ଯ୍ୟଟନସ୍ଥଳୀଗୁଡ଼ିକର ଭତିଭୂମିର ବିକାଶ ସହିତ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏଂଟରପ୍ରାଇଜିଂ ନଟ୍ ଅଫ ଟ୍ରାଭେଲ ଆଣ୍ଡ ଟୁରିଜିମ୍ ଆସୋସିଏଟସ୍ର ସଭାପତି ଦେବାଶିଷ ମିଶ୍ର, ଆନ୍ଧ୍ର ପ୍ରଦେଶ ଟୁରିଜିମ୍ ଫୋରମ୍ର ସଭାପତି କେ. ବିଜୟ ମୋହନ ଏବଂ ଉପସଭାପତି ଡ. ଏସ୍ ପ୍ରଶାନ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ ।