ପାଣି ପିଇବା ପାଇଁ ସ୍କୁଲରେ ମିଳିବ ବିରତି

ଭୁବନେଶ୍ୱର: ସାରା ରାଜ୍ୟରେ ଲାଗିରହିଛି ପ୍ରଚଣ୍ଡ ଖରା। ଏହାକୁ ଦୃଷ୍ଟିରେ ରଖି ସ୍କୁଲରେ ପାଣି ପିଇବାକୁ ପିଲା ମାନଙ୍କୁ ବିରତି ମିଳିବ। ନିୟମିତ ବ୍ୟବଧାନରେ ଜଳ ବିରତି ଘଣ୍ଟି ବଜାଇବା ନେଇ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ନିଆଯାଇଛି ଦୈନିକ କ୍ଲାସ ସମୟରେ ୩ ଥର ଜଳ ବିରତି ଘଣ୍ଟି ବାଜିବ। ଏବେ ସକାଳୁଆ ଚାଲୁଥିବାରୁ ସକାଳ ୮ଟା ୩୦, ୧୦ଟା ଏବଂ ୧୧ଟାରେ ଘଣ୍ଟି ବାଜିବ। ଅନ୍ୟପଟେ ପ୍ରବଳ ଖରା ପାଇଁ ସ୍କୁଲ ସମୟରେ ପରିବର୍ତନ କରିଛି ବଲାଙ୍ଗିର ଜିଲା ପ୍ରଶାସନ। ସକାଳ ସାଢ଼େ ୬ଟାରୁ ଦିନ ସାଢ଼େ ୧୦ଟା ପର୍ଯ୍ୟନ୍ତ ସ୍କୁଲ୍ ଚାଲିବ। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସାଢ଼େ ୧୦ ଯାଏଁ ଚାଲିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେଥିପାଇଁ ରାଜ୍ୟରେ ଏବେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ସ୍କୁଲଗୁଡିକ ଚାଲୁଛି। ସେହିପରି ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକୁ ମଧ୍ୟ ସକାଳୁଆ ହେବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟରେ ଏବେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଜିଲା ଗୁଡ଼ିକରେ ଅଧିକ ଗରମ ଅନୁଭୂତ ହେଉଛି। ଆସନ୍ତା ଶନିବାର ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ହେବ ନାହିଁ ଏବଂ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି।

Comments (0)
Add Comment