ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ

ଯାଜପୁର: ଉଦୟଗିରି ବୌଦ୍ଧ ସ୍ଥଳଠାରେ ଦ୍ଵିତୀୟ ବୌଦ୍ଧ ଗୁରୁ ପଦ୍ମସମ୍ଭବଙ୍କ ପ୍ରାର୍ଥନା ସମାରୋହ ତଥା ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ ହୋଇଛି। ଜାନୁଆରୀ ୧୧ ରୁ ୧୬ ତାରିଖ ଯାଏଁ ହେଉଥିବା ଏହି ବୌଦ୍ଧ ସମ୍ମିଳନୀରେ ଦେଶର ବିଭିନ୍ନ ବୌଦ୍ଧ ମଠ ତଥା ଦେଶ ବାହାରୁ ପ୍ରାୟ ୧୭୦୦ ରୁ ଉର୍ଦ୍ଧ୍ବ ବୌଦ୍ଧ ଧର୍ମାବଲମ୍ବୀ ଏବଂ ଗୁରୁ ଯୋଗ ଦେଇଛନ୍ତି। ବିଭିନ୍ନ ଦେଶରୁ ଆସିଥିବା ଅଂଶଗ୍ରହଣକାରୀଙ୍କଉଦୟଗିରି ପର୍ଯ୍ୟଟକ ଅଭ୍ୟର୍ଥନା କେନ୍ଦ୍ର ଠାରୁ ଉଦୟଗିରି ପାର୍ଥନା ସ୍ଥଳ ପର୍ଯ୍ୟନ୍ତ ଶାନ୍ତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହା ପରେ ଉପସ୍ଥିତ ଅତିଥିଗଣ ଅଭିଭାଷଣ ରଖିଥିଲେ। ଯାଜପୁର ସାଂସଦ ଶ୍ରୀ ବେହେରା କହିଥିଲେ ଯେ, ଭାରତର ଭବିଷ୍ୟତ ଯୁଦ୍ଧରେ ନୁହେଁ ବରଂ ବୁଦ୍ଧଙ୍କ ମାର୍ଗରେ ରହିଛି। ବୌଦ୍ଧ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଯାଜପୁର ଏବଂ ପ୍ରାଚୀନ ସମୟରେ ଏଠାରେ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଥିଲା, ଯେଉଁଠି ବିଦେଶରୁ ଆସି ଅଧ୍ୟୟନ କରୁଥିଲେ। ଗୁରୁ ପଦ୍ମସମ୍ଭବ ଭାରତ, ତିବ୍ବତ, ଚୀନ ସହ ସମଗ୍ର ଦକ୍ଷିଣ ଏସିଆରେ ବୌଦ୍ଧ ଦର୍ଶନର ପ୍ରଚାର ପ୍ରସାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଉଦୟଗିରିରେ ଆୟୋଜିତ ବୌଦ୍ଧ ସମ୍ମିଳନୀ ସାରା ବିଶ୍ୱକୁ ଦିଗଦର୍ଶନ ଦେବ ବୋଲି ସାଂସଦ କହିଥିଲେ। ୬ ଦିନ ବ୍ୟାପୀ ଏହି ସମ୍ମିଳନୀରେ ଦେଶ ବିଦେଶରୁ ଗବେଷକ, ବୌଦ୍ଧ ଗୁରୁ, ଐତିହାସିକମାନେ ଯୋଗ ଦେଇ ବୌଦ୍ଧ ଐତିହ୍ୟ ଓ ଦର୍ଶନ ସମ୍ବନ୍ଧୀୟ ବିଭିନ୍ନ ବିଷୟ ବସ୍ତୁ ଉପରେ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିବେ। ଏହାସହ ସମାରୋହରେ ଯୋଗ ଦେଇଥିବା ବୌଦ୍ଧ ଧର୍ମାବଲମ୍ବୀ ଏବଂ ପର୍ଯ୍ୟଟକମାନେ ରତ୍ନଗିରି – ଲଳିତଗିରି – ଉଦୟଗିରି ହୀରକ ତ୍ରିଭୁଜ ପରିଦର୍ଶନ କରିବେ।