ସୀମାରେ ସ୍ଥିତି ନିୟନ୍ତ୍ରଣାଧୀନ: ଚୀନ

ନୂଆଦିଲ୍ଲୀ:  ତୱାଙ୍ଗରେ ଭାରତ-ଚୀନ୍ ସୀମା ବିବାଦ ନେଇ ପ୍ରତିକ୍ରିୟା ରଖିଛି ଚୀନ । ଦୁଇ ଦେଶର ଯବାନ ସୀମାରେ ମୁହାଁମୁହିଁ ହୋଇଥିଲେ ବି, ସୀମାରେ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ଚୀନ ପ୍ରତିକ୍ରିୟା ରଖିଛି । ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇ ଏନେଇ ସୂଚନା ଦେଇଛି । ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏନେଇ ସଂସଦରେ ବିବୃତ୍ତି ରଖିଛନ୍ତି । ବିପକ୍ଷଙ୍କ ହଙ୍ଗମା ଭିତରେ ଗୃହରେ ବିବୃତ୍ତି ରଖିଛନ୍ତି ରାଜନାଥ । ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଗତ ଡିସେମ୍ବର ୯ ତାରିଖରେ ତୱାଙ୍ଗ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ କରିଥିଲା ଚୀନର ଡ୍ରାଗନ ସେନା । ଏଲଏସିରେ ସୀମାରେଖା ପରିବର୍ତ୍ତନ କରିବାକୁ ପ୍ରୟାସ କରିଥିଲା । କିନ୍ତୁ ବୀର ଭାରତୀୟ ଯବାନଙ୍କ ସାହସିକତା ଆଗରେ ହାର ମାନି ପଛଘୁଞ୍ଚା ଦେଇଥିଲା ଡ୍ରାଗନ ବାହିନୀ । ଭାରତୀୟ ଯବାନ ଦୃଢତାର ସହ ମୁକାବିଲା କରି ଡ୍ରାଗନବାହିନୀକୁ ପଛକୁ ହଟିବାକୁ ବାଧ୍ୟ କରିଥିଲେ । ଏହି ସମୟରେ ଉଭୟ ଦେଶର ସେନା ଯବାନଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ଉଭୟ ଦେଶର ଯବାନ ଏଥିରେ ଆହତ ହୋଇଥିଲେ । ତେବେ କୌଣସି ଭାରତୀୟ ଯବାନ ସହିଦ ହୋଇନାହାନ୍ତି କି ଏଥିରେ କେହି ଗୁରୁତର ମଧ୍ୟ ହୋଇନାହାନ୍ତି । ତେବେ ଏହି ଘଟଣା ପରେ କୂଟନୈତିକ ସ୍ତରରେ ଆଲୋଚନା ଆରମ୍ଭ ହୋଇଛି । ଏକ ଫ୍ଲାଗ ମିଟିଂ ଜରିଆରେ ଏହି ଘଟଣା ଉପରେ ଆଲୋଚନା ହୋଇଛି । ଏ ପ୍ରସଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ଦେଶରେ ମୋଦୀ ସରକାର ଥିବା ଯାଏଁ ଇଞ୍ଚେ ଜମି ବି କେହି ଅକ୍ତିଆର କରିପାରିବେନି । ଭାରତୀୟ ବୀର ଯବାନଙ୍କୁ ସଲାମ ଯେଉଁମାନେ ମାଟି ମା’ର ସୁରକ୍ଷା ପାଇଁ ସୀମାରେ ଲଢେଇ କରିଛନ୍ତି । ୮ ଓ ୯ ଡିସେମ୍ବରରେ ଅରୁଣାଚଳପ୍ରଦେଶରେ ଚୀନ୍ ସେନା ଡ୍ରାଗନ ସେନା ଭାରତର ସୀମା ମଧ୍ୟକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିବା ବେଳେ ଭାରତୀୟ ଯବାନ ଏହାର ମୁହଁତୋଡ ଜବାବ ଦେଇଛନ୍ତି ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।