ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାକୁ ପୁଣିଥରେ ବୋମା ଧମକ ମିଳିଛି। ୨୪ ଘଣ୍ଟା ମଧ୍ୟରେ ଲଗାତାର ଦ୍ୱିତୀୟ ଥର ପାଇଁ ବୁଧବାର ଏହି ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ିଯାଇଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବଜେଟ୍ ଉପସ୍ଥାପନ କରିବାର କିଛି ଘଣ୍ଟା ପୂର୍ବରୁ ମଧ୍ୟ ସମାନ ଧରଣର ଧମକ ମିଳିଥିଲା। ବାଚସ୍ପତି ବିଜେନ୍ଦର ଗୁପ୍ତାଙ୍କ ସରକାରୀ ଇମେଲ୍ ଆଇଡିକୁ ଆସିଥିବା ଏହି ନୂତନ ବାର୍ତ୍ତାରେ ଦାବି କରାଯାଇଛି ଯେ, ଚାଲିଥିବା ବିଧାନସଭା ଅଧିବେଶନ ମଧ୍ୟରେ ପରିସରରେ ବୋମା ଖଞ୍ଜାଯାଇଛି। ମଙ୍ଗଳବାର ସକାଳ ୭ଟା ୨୮ ଏବଂ ୭ଟା ୪୯ ମିନିଟ୍ରେ ଦୁଇଟି ପୃଥକ ଇମେଲ୍ ଜରିଆରେ ପ୍ରଥମେ ଧମକ ଦିଆଯାଇଥିଲା। ଏହି ଘଟଣା ପରେ ସୁରକ୍ଷାକର୍ମୀ ସଜାଗ ହେବା ସହ ବୋମା ନିଷ୍କ୍ରିୟକାରୀ ଦଳ, ସ୍ନିଫର ଡଗ୍ ଏବଂ ସ୍ଥାନୀୟ ପୋଲିସ ପକ୍ଷରୁ ବିଧାନସଭା ପରିସରରେ ବ୍ୟାପକ ସର୍ଚ୍ଚ ଅପରେସନ କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥିବା ସୂଚନା ମିଳିଛି।