ବିଧାୟକଙ୍କ କ୍ବାର୍ଟର୍ସରୁ ମୃତଦେହ ଉଦ୍ଧାର

ଭୁବନେଶ୍ବର: ରାଇରଙ୍ଗପୁର ବିଜେପି ବିଧାୟକ ନବ ଚରଣ ମାଝୀଙ୍କ ସରକାରୀ କ୍ବାର୍ଟର୍ସରୁ ନାବାଳିକା ଝିଆରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଖାରବେଳ ନଗର ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ବିଧାୟକ ନବ ଚରଣ ମାଝୀଙ୍କ ଏମ୍‌ଏଲ୍‌ଏ କଲୋନୀର ଡିଏସ୍ ୧୦/୧ କ୍ବାର୍ଟର୍ସରେ ତାଙ୍କ ଝିଆରୀ ଏଠାରେ ମାସେ ହେବ ରହୁଥିଲେ।

ସେ ନୟାପଲ୍ଲୀସ୍ଥିତ ଏକ କଲେଜରେ ଯୁକ୍ତ-୨ର ଛାତ୍ରୀ ଅଟନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ, ଶନିବାର ରାତି ୧୦ଟାରେ ସେମାନେ ତାଙ୍କୁ ଦେଖିଥିଲେ। ନାବାଳିକା ଜଣକ ଶୋଇବାକୁ ରୁମ୍‌କୁ ଯାଇଥିଲେ । ରବିବାର ଥିବାରୁ ଡେରିରେ ଉଠିବେ ଭାବି ପରିବାର ଲୋକେ ସକାଳୁ କବାଟ ବାଡେଇ ନଥିଲେ ।

ବିଳମ୍ବ ପର୍ଯ୍ୟନ୍ତ ନ ଉଠିବାରୁ ଘର ଲୋକ କବାଟ ବାଡେଇଥିଲେ ମଧ୍ୟ ଝିଅ କବାଟ ଖୋଲି ନଥିଲା। ପରେ ଝର୍କାବାଟେ ଦେଖିବାକୁ ପାଇଥିଲେ ଝିଅର ମୃତଦେହ। ଘଟଣା ସମ୍ପର୍କରେ ଖବରପାଇ ଖାରବେଳନଗର ପୁଲିସ  ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।