ନୂଆଦିଲ୍ଲୀ: ମୁମ୍ବାଇର ଗେଟ୍ୱେ ଅଫ୍ ଇଣ୍ଡିଆ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଡଙ୍ଗା ବୁଡ଼ି ମୋଟ୍ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ବୁଧବାର ଅପରାହ୍ଣରେ ନୌସେନାର ଗୋଟିଏ ସ୍ପିଡ ବୋଟ୍ ପର୍ଯ୍ୟଟକଙ୍କୁ ନେଇ ସମୁଦ୍ରରେ ଯାଉଥିବା ବେଳେ ଯାତ୍ରୀବାହୀ ଡଙ୍ଗା ‘ନୀଲକମଲ’କୁ ଧକ୍କା ଦେଇଥିଲା। ଫଳରେ ସ୍ପିଡ ବୋଟ୍ ସହ ଡଙ୍ଗାଟି ଗଭୀର ଜଳରାଶିରେ ବୁଡ଼ି ଯାଇଥିଲା। ବର୍ତ୍ତମାନ ସୁଦ୍ଧା ଉଦ୍ଧାରକାରୀ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତକଙ୍କ ମଧ୍ୟରେ ସ୍ପିଡ ବୋଟ୍ରେ ଥିବା ଜଣେ ନୌସେନା ଅଧିକାରୀ ଓ ଏହାର ଇଞ୍ଜିନ ମରାମତି ପାଇଁ ଆସିଥିବା ୨ ଜଣ କର୍ମଚାରୀ ରହିଛନ୍ତି। ସେହିପରି ଯାତ୍ରୀବାହୀ ଡଙ୍ଗାରେ ଥିବା ୧୦ ଜଣ ସାଧାରଣ ପର୍ଯ୍ୟଟକ ମଧ୍ୟ ପାଣି ବୁଡ଼ି ଜୀବନ ହରାଇଛନ୍ତି। ସରକାରୀ ସୂଚନା ଅନୁସାରେ, ଇଞ୍ଜିନ ଟ୍ରାଏଲ ପାଇଁ ସମୁଦ୍ରରେ ଚକ୍କର ମାରୁଥିବା ନୌସେନାର ସ୍ପିଡ ବୋଟଟି ହଠାତ୍ ନିୟନ୍ତ୍ରଣ ହରାଇଥିଲା। ଫଳରେ ଏହା ସାମ୍ନାକୁ ଆସୁଥିବା ଯାତ୍ରୀବାହୀ ଡଙ୍ଗାକୁ ଧକ୍କା ଦେଇଥିଲା। ଯାତ୍ରୀବାହୀ ଡଙ୍ଗାରେ ୧୧୦ ଜଣ ଓ ସ୍ପିଡ ବୋଟରେ ମୋଟ ୪ ଜଣ ଲୋକ ରହିଥିଲେ। ଦୁର୍ଘଟଣା ଯୋଗୁ ଦୁଇଟି ଯାକ ବୋଡ ବୁଡ଼ି ଯାଇଥିଲା। ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏବେ ବି ପ୍ରାୟ ୩ ଜଣ ନିଖୋଜ ରହିଛନ୍ତି। ଯାତ୍ରୀବାହୀ ଡଙ୍ଗାଟି ଲୋକଙ୍କୁ ଗେଟୱେ ଅଫ ଇଣ୍ଡିଆରୁ ହାତୀ ଗୁମ୍ଫାକୁ ନେଉଥିଲା। ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ଭାରତୀୟ ନୌସେନା ସମେତ ତଟରକ୍ଷୀ ବାହିନୀ ନିୟୋଜିତ ହୋଇଛନ୍ତି। ନୌସେନାର ୧୧ଟି ବୋଟ, ମେରାଇନ ପୁଲିସ୍ର ୩ଟି ବୋଟ ଓ ତଟରକ୍ଷୀ ବାହିନୀର ଗୋଟିଏ ବୋଟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି। ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନରେ ୪ଟି ହେଲିକପ୍ଟର ମଧ୍ୟ ନିୟୋଜିତ ହୋଇଥିବା ନୌସେନା ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଘଟଣାରେ ଶୋକ ପ୍ରକାଶ କରିଛନ୍ତି।