ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ

ଭୁବନେଶ୍ବର: ଚିଲିକାରେ ଜଳସ୍ତର ବୃଦ୍ଧି ଏବଂ ପ୍ରବଳ ପବନକୁ ଦୃଷ୍ଟିରେ ରଖି ଡଙ୍ଗା ଓ ଭସାପୋଲ ଚଳାଚଳକୁ ସାମୟିକ ଭାବେ ବନ୍ଦ କରାଯାଇଛି। ଯାତ୍ରୀମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଚିଲିକା ଡଙ୍ଗା ଚାଳକ ସଂଘ ପକ୍ଷରୁ ସ୍ୱେଚ୍ଛାକୃତ ଭାବେ ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ସୂଚନାଯୋଗ୍ୟ, ଚିଲିକାରେ ଲଗାତାର ପାଣି ବଢ଼ିବା ସହ ପବନର ବେଗ ଅଧିକ ରହିବା ଯୋଗୁଁ ହ୍ରଦ ମଧ୍ୟରେ ଉଚ୍ଚ ଢେଉ ସୃଷ୍ଟି ହେବାର ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ନୌଚାଳନା ବିପଦପୂର୍ଣ୍ଣ ହୋଇଥିବାରୁ ଚାଳକ ସଂଘ ନିଜ ଆଡ଼ୁ ଡଙ୍ଗା ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ପାଣିପାଗ ଓ ଚିଲିକାର ପରିସ୍ଥିତିରେ ସୁଧାର ନଆସିବା ପର୍ଯ୍ୟନ୍ତ ଡଙ୍ଗା ଓ ଭସାପୋଲ ଚଳାଚଳ ବନ୍ଦ ରହିବ।