ବ୍ୟବସାୟୀକ ଅଞ୍ଚଳରୁ ରାତିରେ ଅଳିଆ ଉଠାଇବ ବିଏମସି, ନିୟୋଜିତ ହେବେ ୫୭ଟି ସଫେଇ ଗାଡି

ଭୁବନେଶ୍ୱର : ସହରର ବ୍ୟବସାୟିକ ଅଞ୍ଚଳରୁ ରାତିରେ ଅଳିଆ ଉଠାଇବ ବିଏମସି I ଏହି ସ୍ୱତନ୍ତ୍ର କାର୍ଯ୍ୟରେ ୫୭ ଟି ସଫେଇ ଗାଡିରେ ବୁହାଯିବ ଅଳିଆ I ଭୁବନେଶ୍ୱରକୁ ସ୍ୱଚ୍ଛ ସୁନ୍ଦର କରି ଗଢି ତୋଳିବା ପାଇଁ,କେବଳ ବସ୍ତି,କିମ୍ବା ଆବାସିକ ଅଂଚଳ ନୁହେଁ,ବ୍ୟବସାୟିକ ଅନୁସସ୍ଥାନ ଗୁଡିକୁ ମଧ୍ୟ ସାମିଲ କରାଯାଇଛି ଇ ଏଥିପାଇଁ ସହରର ଜନସାଧାରଣଙ୍କ ସହିତ,ବ୍ୟବସାୟିକ ଅନୁଷ୍ଠାନ ଗୁଡିକୁ ମଧ୍ୟ ସାମିଲ ହେବାକୁ ବି.ଏମ.ସି. ତରଫରୁ ଅନୁରୋଧ କରାଯାଇଛି I

କ୍ରମାଗତ ଭାବେ ବି ଏମ୍‌ ସିର ବିଭିନ୍ନ ମଣ୍ଡଳର ବ୍ୟବସାୟିକ ସଙ୍ଘ ମାନଙ୍କ ସହିତ କର୍ପୋରେଟର, ୱାଡର଼୍ ଅଫିସର, ଜୋନାଲ୍‌ ଡେ଼ପୁଟି କମିଶନର ଏବଂ ସର୍ବୋପରି କମିଶନର ଓ ମାନ୍ୟବର ମେୟରଙ୍କର କ୍ରମାଗତ ଆଲୋଚନା ପରେ ନିଷ୍କାସିତ ବର୍ଜ୍ୟକୁ ପୃଥକ୍‌ କରି ବି ଏମ୍‌ ସି କୁ ହସ୍ତାନ୍ତର କରିବା ପାଇଁ କଥା ରଖିଛନ୍ତି ଏହିସବୁ ସଙ୍ଘ । ପ୍ରତ୍ୟେକ ବ୍ୟବସାୟିକ ଅଞ୍ଚଳ କିପରି ନିୟମିତ ଭାବେ ପରିଷ୍କାର ହେବ, ଅନ୍ୟୁନ ୨ ଥର ସେଠାରୁ ଓଦା ଏବଂ ଶୁଖିଲା ଅଳିଆ ସଂଗ୍ରହ କରାଯିବ ସେଥିପାଇଁ ମହାନଗର ନିଗମ କର୍ତ୍ତୃପକ୍ଷ ନେଇଛନ୍ତି ସ୍ୱତନ୍ତ୍ର ପଦକ୍ଷେପ । ନିକଟରେ ପ୍ରତ୍ୟେକ ଜୋନ୍‌ରେ ଥିବା ବ୍ୟବସାୟୀକ ଅଞ୍ଚଳ ଗୁଡ଼ିକରୁ ବର୍ଜ୍ୟବସ୍ତୁର ପୃଥକୀକୃତ ସଂଗ୍ରହ ନିମନ୍ତେ ୫୭ଟି ଗାଡ଼ିର ବ୍ୟବସ୍ଥା କରାଯାଇଛି ।

ବର୍ତମାନ ସହରରେ ୩୪୬ ଗୋଟି ସଫେଇ ଗାଡ଼ି କାର୍ଯ୍ୟରତ ରହିଥିବା ବେଳେ ଏଥି ମଧ୍ୟରୁ ୫୫ଟି ଗାଡ଼ି ବ୍ୟାଟେରୀ ଚାଳିତ । ସଫେଇ ଗାଡ଼ି ଗୁଡ଼ିକ ମଧ୍ୟରୁ ୫୭ଟି ଗାଡ଼ିରେ ସ୍ୱତନ୍ତ୍ର ଚାଳକ ଓ ସହାୟକର ବ୍ୟବସ୍ଥା କରାଯାଇ ରାତ୍ରି ସମୟରେ ସମସ୍ତ ବଜାର ଅଞ୍ଚଳରୁ ପୃଥକ୍‌ ବର୍ଜ୍ୟବସ୍ତୁ ସଂଗ୍ରହ କରାଯିବ । ଏହାର ସଂଗ୍ରହ ନିମନ୍ତେ ବି ଏମ୍‌ ସି ରେ ନିୟୋଜିତ ବିଭିନ୍ନ ସଂସ୍ଥା ଦାୟିତ୍ୱ ତୁଲାଇବେ । ଏହା ସାଙ୍ଗକୁ ପ୍ରତ୍ୟେକ ବ୍ୟବସାୟିକ ପ୍ରତିଷ୍ଠାନ ନିଜ ବ୍ୟବସାୟିକ ସ୍ଥଳୀରେ ଆବଶ୍ୟକ ପରିମାଣର ବର୍ଜ୍ୟବସ୍ତୁ ଧରିବା ଭଳି ଦୁଇଟି ଲେଖାଏଁ ଡ଼ଷ୍ଟବିନ୍‌ ରଖିବେ । ଗୋଟିକରେ ଓଦା ଏବଂ ଅନ୍ୟଟିରେ ଶୁଖିଲା ବର୍ଜ୍ୟ ରଖିବେ ଏବଂ ନିଜର ଗ୍ରାହକ ମାନଙ୍କୁ ଏହି ବାବଦରେ ବୁଝାଇବାର ଦାୟିତ୍ୱ ନେବେ ।

ପ୍ରତ୍ୟେକ ୱାଡରେ ଥିବା ବ୍ୟବସାୟିକ ଅଞ୍ଚଳ ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯାଇଥିବା କର୍ତ୍ତୃପକ୍ଷ ଜଣାଇଛନ୍ତି । ଦକ୍ଷିଣ-ପୂର୍ବ ଜୋନ୍‌ ପାଇଁ ୩୧ ଗୋଟି ଗାଡ଼ି, ଦକ୍ଷିଣ-ପଶ୍ଚିମ ଜୋନ୍‌ ପାଇଁ ୯ ଗୋଟି ଗାଡ଼ି ଏବଂ ଉତର ଜୋନ୍‌ ପାଇଁ ୧୭ ଗୋଟି ଗାଡ଼ିର ବ୍ୟବସ୍ଥା ହୋଇଥିବା ବେଳେ ଆବଶ୍ୟକତା ଅନୁସାରେ ଏଥିରେ ପରିବର୍ତନ କରାଯିବ ବୋଲି କୁହାଯାଇଛି । ଅପରାହ୍ନ ୩ ଘଟିକା ଠାରୁ ଆରମ୍ଭ କରି ରାତ୍ରି ୧୧ ଘଟିକା ପର୍ଯ୍ୟନ୍ତ ବଜାର ଅଞ୍ଚଳ ଗୁଡ଼ିକରୁ ସଫେଇ କାର୍ଯ୍ୟ କରାଯିବ ଯାହା ସମ୍ପୃକ୍ତ ଜୋନ୍‌ ଅଧିକାରୀଙ୍କ ତତ୍ୱାବଧାନରେ ହେବ । ଏଥିପାଇଁ ସମ୍ପୃକ୍ତ ସାନିଟାରୀ ଇନିସ୍‌ପେକ୍ଟର ମାନେ ରାତ୍ରିକାଳୀନ ସଫେଇର ଲକ୍‌ବୁକ୍‌ ତଦାରଖ କରିବେ । ବିଭିନ୍ନ ୱାର୍ଡର କର୍ପୋରେଟର ମାନେ ଏଥିରେ ସହଯୋଗ କରି ସହରର ପରିଚ୍ଛନ୍ନତାକୁ ଆଗେଇ ନେବାରେ ସହଯୋଗ କରୁଛନ୍ତି ବୋଲି କହିଛନ୍ତି ବି ଏମ୍‌ ସି ଡେପୁଟି କମିଶନର ପରିମଳ ।