ମୁମ୍ବାଇ: ବଲିଉଡ୍ ଅଭିନେତା ଅଜୟ ଦେବଗନ୍ଙ୍କ ମୁମ୍ବାଇ ଜୁହୁସ୍ଥିତ ବଙ୍ଗଳା ଉପରେ ବୃହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ୍ (ବିଏମସି) କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବଙ୍ଗଳାରେ ବେଆଇନ ଭାବେ ନିର୍ମାଣ ଚାଲିଥିବା ଅଭିଯୋଗରେ ପୌରସଂସ୍ଥା ପକ୍ଷରୁ ଭଙ୍ଗାରୁଜା କରାଯାଇଛି। ସୂଚନାଯୋଗ୍ୟ, ଜୁହୁର କାପୋଲେ କୋ-ଅପରେଟିଭ୍ ହାଉସିଂ ସୋସାଇଟିରେ ଅଜୟଙ୍କର ୭,୮୦୨ ବର୍ଗଫୁଟର ଏକ ବିଶାଳ ବଙ୍ଗଳା ରହିଛି। ବିଏମସିର ବିନା ଅନୁମତିରେ ବଙ୍ଗଳା ଭିତରେ କାନ୍ଥ ନିର୍ମାଣ, ଝରକା ପରିବର୍ତ୍ତନ ଓ ଅନ୍ତଃସ୍ଥଳ ରୂପାନ୍ତରଣ ଭଳି ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏନେଇ ଗତ ସେପ୍ଟେମ୍ବର ୧୦ ତାରିଖରେ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ୍ ଆଇନର ଧାରା ୩୫୪-ଏ ଅଧୀନରେ କାମ ବନ୍ଦ କରିବା ସହ ବୈଧ କାଗଜପତ୍ର ଦାଖଲ ପାଇଁ ନୋଟିସ୍ ଦିଆଯାଇଥିଲା। ତେବେ ନୋଟିସକୁ ଅଣଦେଖା କରି ନିର୍ମାଣ କାମ ଜାରି ରହିବାରୁ ଆଜି ବିଏମସି ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୁଡ଼ି ସାହାଯ୍ୟରେ ସେହି ବେଆଇନ ନିର୍ମିତ ଅଂଶଗୁଡ଼ିକୁ ଭାଙ୍ଗି ଦେଇଛନ୍ତି।