ଆଫଗାନିସ୍ତାନ ମଜାର-ଏ-ଶରିଫ ମସଜିଦରେ ଭୟଙ୍କର ବିସ୍ଫୋରଣ: ୫ ମୃତ, ୬୫ରୁ ଅଧିକ ଆହତ

ଆଫଗାନିସ୍ତାନର ଏକ ମସଜିଦରେ ହୋଇଛି ଭୟଙ୍କର ବିସ୍ଫୋରଣ । ସ୍ଥାନୀୟ ମଜାର-ଏ-ଶରିଫ ମସଜିଦରେ ଏଭଳି ଏକ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୫ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଏ ନେଇ ଅବୁ ଅଲୀ ସିନା-ଏ-ବଲଖି ଡାକ୍ତରଖାନାର ମୁଖ୍ୟ ଗୁସୁଦ୍ଦିନ ଅନୱାରୀ ସୂଚନା ଦେଇଛନ୍ତି ।

ଏହି ବିସ୍ଫୋରଣ ପରେ ସାରା ଅଞ୍ଚଳରେ ଏକ ଭୟର ବାତାବରଣ ଖେଳିଯାଇଛି । ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଏହା ଏକ ଦୁର୍ଘଟଣା ନା ଏହା ପଛରେ କୌଣସି ସଂଗଠନର ଚକ୍ରାନ୍ତ ରହିଛି ସେ ନେଇ ମଧ୍ୟ ଆଲୋଚନା ଜାରି ରହିଛି । ଗତ ୧୯ ତାରିଖରେ ମଧ୍ୟ କାବୁଲ ନିକଟରେ ଅବଦୁଲ ରହିମ ଶାହିଦ ହାଇସ୍କୁଲରେ ୩ଟି ବିସ୍ଫୋରଣ ହୋଇଥିଲା । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । କେବଳ ସେତିକି ନୁହେଁ ଗତବର୍ଷ ଏଠାରେ ଅନେକ ବିସ୍ଫୋରଣ ମଧ୍ୟ ହୋଇଛି ।

ଗତବର୍ଷ ମେ ୮ ତାରିଖରେ କାବୁଲର ଏକ ସ୍କୁଲ ନିକଟରେ ବଡ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୫୦ରୁ ଅଦିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହାବ୍ୟତୀତ ନଭେମ୍ବର ୧୪ରେ ମଧ୍ୟ ଶିୟା ବହୁଲ ଅଞ୍ଚଳରେ ହୋଇଥିବା ବିସ୍ପୋରଣରେ ୬ଜଣଙ୍କ ମୃତ୍ୟୁ ସହିତ ୭ ଜଣ ଆହତ ହୋଇଥିଲେ ଏବଂ ପର ଦିନ ପନ୍ଧାର ପ୍ରାନ୍ତର ଏକ ମସଜିଦରେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୩୨ ଲୋକଙ୍କ ମୃତ୍ୟୁ ଏବଂ ୪୦ ଆହତ ମାମଲା ସାମନାକୁ ଆସିଥିଲା । ତାଲିବାନ ଦେଶ ଉପରେ କବଜା କରିବା ପରେ କାବୁଲ ଏୟାରପୋର୍ଟ ନିକଟରେ ୩ଟି ଧମାକା ହୋଇ ୧୦୦ରୁ ଅଧିକ ମୃତ୍ୟୁ ଏବଂ ୧୨୦ରୁ ଅଦିକ ଲୋକ ଆହତ ହୋଇଥିଲେ ।