ବନ୍ଧା ହେଲେ ବ୍ଲାକ୍‌ମେଲିଂ କୁଇନ

ବ୍ଲାକ୍‌ମେଲିଂ କୁଇନ କୁ ବାନ୍ଧିଲା ମିଶନରେଟ୍ ପୋଲିସ୍‌ I ବହୁ ବଡ଼ବଡ଼ିଆଙ୍କୁ ବ୍ଲାକ୍‌ମେଲିଂ କରି ରୋଜଗାର କରୁଥିଲେ ଅଜସ୍ର ଅର୍ଥ I ନିଜର ବିଶାଳ ଅଲିଶାନ କୋଠା ସହିତ ବୁଲୁଥିଲେ ନାମୀ ଦାମୀ ଗାଡ଼ିରେ I ଘର ଭିତରେ ଖଞ୍ଜିଥିଲେ ଦାମୀ କମ୍ପାନୀର ଭଳିକି ଭଳି ସୌଖୀନ ସାମଗ୍ରୀ । ଏହା ସହ ଘରେ ପୋଷା ହୋଇଛନ୍ତି ଭଳିକି ଭଳି ଦାମୀ କୁକୁର ସହ ଗୋଟିଏ ଘୋଡ଼଼ା । ଦେଖିବାକୁ ସମ୍ଭ୍ରାନ୍ତ ଓ ଭଦ୍ର । ଜିଉଁ ଥିଲେ ସୌଖିନ ଜୀବନ I କିନ୍ତୁ ଚୋର ଘର ସବୁଦିନେ ଅନ୍ଧାର ନ ଥିବା ପରି ବର୍ତ୍ତମାନ ଏହି ବ୍ଲାକ୍‌ମେଲିଂ କୁଇନ କୁ ବାନ୍ଧିଛି ପୋଲିସ I ତାଙ୍କ ନାଁ ହେଉଛି ଅର୍ଚନା ନାଗ I ସେ ବିବାହିତI ହେବା ସାଙ୍ଗକୁ ଉଚ୍ଚ ଶିକ୍ଷିତା ମଧ୍ୟ I ତାଙ୍କ କଳା କାରନାମାରେ ସ୍ୱାମୀ ମଧ୍ୟ ଥିଲେ ସମାନ ଭାଗିଦାର I

ସୂଚନାନୁସାରେ ଗତ କିଛିଦିନ ପୂର୍ବରୁ ଜଣେ ନାମୀ ସିନେମା ପ୍ରଡ୍ୟୁସର ଙ୍କ ବିରୋଧରେ ଅର୍ଚନା ଆଣିଥିଲେ କାଷ୍ଟିଙ୍ଗ କାଉଚ ର ଆରୋପ I ଏହା ସହିତ ସେ ନିଜକୁ ଜଣେ ଦଳିତ ଝିଅ ବୋଲି ପ୍ରଡ୍ୟୁସର ତାଙ୍କୁ ସିନେମାର ସୁଯୋଗ ଦେବେ କହି ଶାରୀରିକ ଶୋଷଣ କରୁଥିବା କ୍ୟାମେରା ଆଗରେ କହିଥିଲେ I ଘଟଣା ପଦାକୁ ଆସିବା ପରେ ସିନେ ପ୍ରଯୋଜକ ତାଙ୍କୁ ବ୍ଲାକମେଲ୍ କରୁଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ଆଣିଥିଲେ। ଏତଲାକୁ ଆଧାର କରି ପୁଲିସ ଏହି ଘଟଣାର ତଦନ୍ତ କରିଥିଲା। ପରେ ସଂପୃକ୍ତ ଯୁବତୀଙ୍କୁ ପୁଲିସ ଗିରଫ କରିଥିବା କୁହାଯାଉଛି। ତାଙ୍କ ଠାରୁ ପୁଲିସ୍‌ ୨ଟି ପେନ୍‌ଡ୍ରାଇଭ୍‌ ଓ ୨ଟି ମୋବାଇଲ୍‌ ଜବତ କରିଛି । ସେ ପେନ୍‌ଡ୍ରାଇଭରେ ନେତା, ପୂର୍ବତନ ମନ୍ତ୍ରୀ, ବ୍ୟବସାୟୀ, ପୁଲିସ୍‌ ଓ ବିଲ୍ଡରଙ୍କ ବହୁ ଅଶ୍ଳୀଳ ଫଟୋ ଓ ଭିଡିଓ ଥିବା କମିଶନରେଟ୍‌ ପୁଲିସ୍‌ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।ଶୁକ୍ରବାର ଅର୍ଚ୍ଚନାଙ୍କୁ ମହିଳା ଥାନା କିମ୍ବା ଖଣ୍ଡଗିରି ଥାନା ପୁଲିସ୍‌ କୋର୍ଟ ଚାଲାଣ କରିବ ବୋଲି ଜଣାପଡ଼ିଛି ।

ପୋଲିସର ତଦନ୍ତ ପରେ ଜାଣିବାକୁ ପାଇଥିଲା ଯେ ଉକ୍ତ ଯୁବତୀ ଫେସବୁକରେ ପ୍ରଥମେ ବନ୍ଧୁତା ଓ ପରେ ପ୍ରେମାଳାପ କରୁଥିଲେ। ଯୁବତୀ ଜଣକ ନେତା, ପୂର୍ବତନ ମନ୍ତ୍ରୀ ଓ ବ୍ୟବସାୟୀଙ୍କୁ ଫେସବୁକରେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଉଥିଲେ। ସୋସିଆଲ ମିଡିଆରେ ବନ୍ଧୁତା ହେବା ପରେ ଫୋନ ନମ୍ବର ମାଗି କଥା ହେଉଥିଲେ। ଏହାପରେ ସେ ନିଜ ଘରକୁ ନିମନ୍ତ୍ରଣ କରି ଗୁପ୍ତରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଚିତ୍ର ଉତ୍ତୋଳନ କରୁଥିଲେ। ସେହି ଭିଡିଓକୁ ଦେଖାଇ ବ୍ଲାକମେଲିଂ କରି ଯୁବତୀ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି।