ପଶ୍ଚିମ ବଙ୍ଗ, ଆସାମ ରେ ବିଜେପି ର ବଡ଼ ବିଜୟ

ନୂଆଦିଲ୍ଲୀ: ପଶ୍ଚିମ ବଙ୍ଗ ରେ ଭାଜପା ୨୦୫ ଆସନରେ ଆଗୁଆ ଥିବାବେଳେ ଟିଏମ୍‌ସି ୮୩ ଆସନରେ ଆଗୁଆ ରହିଛି।ଏହି ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ପଶ୍ଚିମ ବଙ୍ଗରେ ‘କମଳ’ ଫୁଟିଛି। ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସର୍ବଦା ମନେ ରହିବ। ଜନଶକ୍ତି ବିଜୟୀ ହୋଇଛି, ଏବଂ ଭାଜପାର’ସୁଶାସନ ରାଜନୀତି’ ସଫଳ ହୋଇଛି। ମୁଁ ପଶ୍ଚିମବଙ୍ଗର ପ୍ରତ୍ୟେକ ବ୍ୟକ୍ତିଙ୍କ ଆଗରେ ମୁଣ୍ଡ ନୁଆଁଉଛି। ଜନତା ଭାଜପାକୁ ଏକ ପ୍ରଚଣ୍ଡ ଜନାଦେଶ ଦେଇଛନ୍ତି, ଏବଂ ମୁଁ ସେମାନଙ୍କୁ ଆଶ୍ୱାସନା ଦେଉଛି ଯେ ଆମ ଦଳ ପଶ୍ଚିମବଙ୍ଗର ଲୋକଙ୍କ ସ୍ବପ୍ନ ଏବଂ ଆକାଂକ୍ଷା ପୂରଣ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବ। ଆମେ ଏପରି ଏକ ସରକାର ପ୍ରଦାନ କରିବୁ ଯାହା ସମାଜର ସମସ୍ତ ବର୍ଗ ପାଇଁ ସୁଯୋଗ ଏବଂ ସମ୍ମାନ ସୁନିଶ୍ଚିତ କରେ।” ସେହିପରି ୧୦ ବର୍ଷ ଧରି କେରଳମରେ ଶାସନ କରୁଥିବା ସିପିଆଇ (ଏମ୍ ) ନେତୃତ୍ୱଧୀନ ଏଲ୍‌ଡିଏଫ କ୍ଷମତାଚ୍ୟୁତ ହୋଇଛି। ଏହି ମେଣ୍ଟକୁ ମାତ୍ର ୩୫ଟି ଆସନ ମିଳିଛି। ଏହା ସହିତ ଗତ ୫୦ ବର୍ଷରେ ପ୍ରଥମ ଥର ପାଇଁ ଦେଶର କୌଣସି ରାଜ୍ୟରେ ଆଉ ବାମ ଦଳର ସରକାର ରହିବ ନାହିଁ।କେରଳମ ବିଧାନସଭାରେ ୧୪୦ଟି ଆସନ ଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ୯୮ଟି ଆସନରେ ବିଜୟୀ ହୋଇଛି। ଏଠାରେ ସରକାର ଗଠନ କରିବା ପାଇଁ ମ୍ୟାଜିକ୍ ନମ୍ବର ୭୧ ହୋଇଥିବା ବେଳେ ଏହାଠାରୁ ୨୭ ଆସନ ଅଧିକ ପାଇଛି ୟୁଡିଏଫ।ଆସାମରେ ବିଜେପି ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱରେ ବିଜେପି ମେଣ୍ଟ ୯୭ ଆସନ ଜିତିବ ବୋଲି ଆକଳନ କରାଯାଇଛି। କଂଗ୍ରେସ ମାତ୍ର ୨୪ ଆସନ ଜିତିବ ବୋଲି ଆକଳନ କରାଯାଇଛି। ତାମିଲନାଡୁ ରେ ବିଜୟଙ୍କ TVK ୧୧ଟି ଆସନ ଜିତିଥିବା ବେଳେ ୯୬ଟି ଆସନରେ ଆଗୁଆ ରହିଛି। ଅନ୍ୟପଟେ ଶାସକ DMK ମାତ୍ର ୪ଟି ଆସନ ଜିତିଛି ଏବଂ ୬୭ଟି ଆସନରେ ଆଗୁଆ ରହିଛି। ବିଶେଷ କରି ଚେନ୍ନାଇ ଅଞ୍ଚଳରେ TVK ଏକପାଖିଆ ପ୍ରଦର୍ଶନ କରିଛି। ସେହିପରି ପୁଡୁଚେରୀରେ NDAକୁ ପୁଣି ଥରେ ସଫଳତା ମିଳିଛି l