କଳାହାଣ୍ଡି: ବିଜେପି ନେତା ଫକୀର ରଣା ହତ୍ୟାକାଣ୍ଡ ଘଟଣାରେ ୩ ଗିରଫ । କଳାହାଣ୍ଡି ପୋଲିସ ୨୪ ଘଣ୍ଟା ମଧ୍ୟରେ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି ବୋଲି କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡା ସୂଚନା ଦେଇଛନ୍ତି | ଗିରଫ ଅଭିଯୁକ୍ତମାନେ ହେଲେ ତୁଳସୀରାମ ସାହୁ, ସୂରଜ ସିଂ ପାତ୍ର ଏବଂ ବଳଦେବ ସାହୁ । ସୂଚନା ଥାଉ କି, ଗତ ବୁଧବାର ସନ୍ଧ୍ୟାରେ ଫକୀର ରଣା ମ.ରାମପୁରରେ ବ୍ୟକ୍ତିଗତ କାମ ସାରି ବାଇକ୍ ଯୋଗେ ନିଜ ଗାଁ ଘରକୁ ଫେରିଥିଲେ। ରାତି ପ୍ରାୟ ସାଢ଼େ ୮ଟା ବେଳକୁ କିଛି ଦୁର୍ବୃତ୍ତ ତାଙ୍କୁ ଘରୁ ଡାକି ନେଇ ଛୁରି ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ସେ ଯୋରରେ ଚିତ୍କାର କରିଥିଲେ। ରଣାଙ୍କ ଚିତ୍କାର ଶୁଣି ଆଖପାଖ ଲୋକ ସେଠାରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମ.ରାମପୁର ଡାକ୍ତରଖାନାକୁ ଆଣିଥିବାବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।