ବିଧାୟକ କିଣି ସରକାର ଗଠନ କରୁଛି ଭାଜପା: କେଜରିଓ୍ବାଲ

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତିି। ସେ କହିଛନ୍ତି ଭାଜପା ଦଳ ଗଣତନ୍ତ୍ରକୁ ପରିହାସ କରିଛି। ଯେଉଁଠାରେ ଭାଜପା ସରକାର ଗଠନ ହୋଇ ପାରୁ ନାହିଁ ସେଠାରେ ସେମାନେ ବିଧାୟକ କିଣି ସରକାର ଗଠନ କରୁଛନ୍ତି। ବିଧାୟକମାନଙ୍କୁ ଭୟଭୀତ କରିବା ପାଇଁ ଇଡି ପଠାଇଥାନ୍ତି । ଆଇନର ଅପବ୍ୟବହାର କରି ଅଣ-ଭାଜପା ସରକାରଙ୍କୁ ରାଜ୍ୟପାଳଙ୍କ ମାଧ୍ୟମରେ କାମ କରିବାକୁ ଦିଅନ୍ତି ନାହିଁ।

ପଞ୍ଜାବ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ, ତେଲେଙ୍ଗାନାରେ ଆମେ ଏହାର ଉଦାହରଣ ଦେଖିଛୁ। ବର୍ତ୍ତମାନ ସେମାନେ ଦିଲ୍ଲୀରେ ଯାହା କରିଛନ୍ତି ତାହା ଗଣତନ୍ତ୍ରର ସମ୍ପୂର୍ଣ୍ଣ ବିରୋଧୀ। ଦିଲ୍ଲୀର ଲୋକମାନେ ଆଠ ବର୍ଷ ଧରି ସଂଘର୍ଷ କରିଥିଲେ। ଆଠ ବର୍ଷ ପରେ ଦିଲ୍ଲୀର ଲୋକମାନେ ଜିତିଲେ। ଏକ ସପ୍ତାହ ପରେ, ସେମାନେ ଏକ ଅଧ୍ୟାଦେଶ ଆଣି ଏହି ନିଷ୍ପତ୍ତିକୁ ଅଗ୍ରାହ୍ୟ କଲେ। ଯେଉଁ ଦିନ ଅଧ୍ୟାଦେଶ ଅଣାଯାଇଥିଲା ସେଦିନ ସୁପ୍ରିମକୋର୍ଟ ଛୁଟି ଥିଲା। ଏହାର ଅର୍ଥ ସେମାନଙ୍କ ଉଦ୍ଦେଶ୍ୟ ମନ୍ଦ ଥିଲା।

ଏହାପୂର୍ବରୁ କେଜରିୱାଲ ଏକ ଟୁଇଟରେ କହିଥିଲେ, ଆଜିଠାରୁ ମୁଁ ସାରା ଦେଶ ଗସ୍ତରେ ଯାଉଛି। ଦିଲ୍ଲୀର ଲୋକଙ୍କ ଅଧିକାର ପାଇଁ ସୁପ୍ରିମକୋର୍ଟ ବହୁ ବର୍ଷ ପରେ ଏହି ଆଦେଶ ପାରିତ କରିଥିଲେ ଏବଂ ଦିଲ୍ଲୀବାସୀଙ୍କୁ ସେମାନଙ୍କର ଅଧିକାର ପ୍ରଦାନ କରିଥିଲେ। କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଆଣି ସେହି ସମସ୍ତ ଅଧିକାର ଛଡ଼ାଇ ନେଇଛନ୍ତି। ଯେତେବେଳେ ଏହି ଆଇନ ରାଜ୍ୟସଭାରେ ଆସିବ, ଏହାକୁ କୌଣସି ପରିସ୍ଥିତିରେ ପାରିତ କରିବାକୁ ଦିଆଯିବା ଉଚିତ ନୁହେଁ। ସମସ୍ତ ରାଜନୈତିକ ଦଳର ସଭାପତିଙ୍କୁ ଭେଟି ମୁଁ ସେମାନଙ୍କ ସମର୍ଥନ ଲୋଡିବି।

ସୂଚନାଯୋଗ୍ୟ, କୌଣସି ଅଧ୍ୟାଦେଶକୁ ୬ ମାସ ମଧ୍ୟରେ ସଂସଦରେ ଅନୁମୋଦନ ମିଳିବା ଆବଶ୍ୟକ। ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ଏହି ନିୟମ ସହ ଜଡିତ ଏକ ବିଲ ଉପସ୍ଥାପନ କରିବେ ବୋଲି ଚର୍ଚ୍ଚା ହେଉଛି।