ବାରମ୍ବାର ମିଛ ଅଭିଯୋଗ କରି ଲୋକହସା ହୋଇଛି ବିଜେପି: ବିଜେଡି

ଭୁବନେଶ୍ୱର: ଧାମନଗର ଉପନିର୍ବାଚନରେ ବିଜେଡିର ମହିଳା କ୍ୟାଡର୍‌ଙ୍କୁ ଜାଣିଶୁଣି ଟାର୍ଗେଟ୍ କରାଯାଉଛି । ଏସ୍‌ଏଚ୍‌ଜି ମହିଳାଙ୍କୁ ବଦ୍‌ନାମ କରିବାକୁ ବିଜେପି ବିଧିବଦ୍ଧ ଷଡ଼ଯନ୍ତ୍ର ଜାରି ରଖିଛି । ହେଲେ ବାରମ୍ବାର ଏହି ମିଛ ଅଭିଯୋଗ କରି ଲୋକହସା ହୋଇଛି ସଂପୃକ୍ତ ଦଳ । ତେଣୁ ଧାମନଗରରେ ମୁକ୍ତ ଅବାଧ ନିର୍ବାଚନ ସହ ବିଜେପି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ଦାବି କରିଛି । ଶନିବାର ଦଳର ପ୍ରତିନିଧିଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ଭେଟି ସ୍କାରକପତ୍ର ଦେଇଛି । ଦଳ କହିଛି ଯେ ଏସ୍‌ଏଚ୍‌ଜି ମହିଳାଙ୍କୁ ବଦନାମ କରିବାକୁ ବିଜେପି ବିଧିବଦ୍ଧ ଷଡ଼ଯନ୍ତ୍ର କରିଚାଲିଛି । ବିଜେପି କର୍ମୀ ମୁହଁରେ ମାସ୍କ ଦେଇ ମିଛ ଭିଡିଓ କରୁଛନ୍ତି । ଏଥିସହ ବିଜେଡିର ନାରୀ ନେତ୍ରୀଙ୍କୁ ବିଜେହିର କର୍ମୀମାନେ ଧମକାଉଛନ୍ତି । ସିଇଓଙ୍କୁ ଭେଟିବା ପରେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ଗଣମାଧ୍ୟମକୁ କହିଥିଲେ, ଧାମନଗରରେ ବିଜେପି ବିପୁଳ ଭୋଟ୍‌ରେ ହାରିବ ବୋଲି ଅନୁଭବ କରିସାରିଲାଣି । ସେଥିପାଇଁ ବିଜେପି ମନଗଢ଼ା କଥା କହିଚାଲିଛି । ବିନାଦ୍ୱିଧାରେ ଆଇନ ଉଲ୍ଲଂଘନ କରି ମିଛର ଆଶ୍ରୟ ନେଇଛି । ସେଥିପାଇଁ ଧାମନଗର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସବୁ ଗାଁରେ ଓ ୱାର୍ଡରେ କଡ଼ା ନଜର ରଖିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛୁ । ଶ୍ରୀ ମହାନ୍ତି ପୁଣି କହିଥିଲେ, ଶୁକ୍ରବାର ବିଜେପି ଆଣିଥିବା ଭାଇରାଲ ଅଡିଓ କ୍ଲିପ୍ ବି ମନଗଢ଼ା । ସେବିଷୟରେ କେବଳ ସେମାନଙ୍କୁ ହିଁ ଜଣା । ବିଜେପି ଆଇଟି ୱିଙ୍ଗ୍ ଏହି ମିଛ ଅଭିଯୋଗ କରି ଅପପ୍ରଚାର କରିଛି ବୋଲି ସେ କହିଥିଲେ ।