ବିଜେଡି ଗଢିଲା ନୂଆ କମିଟି, ସଂତୃପ୍ତ ମିଶ୍ର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ

ଭୁବନେଶ୍ବର: ନିର୍ବାଚନରେ ବିପର୍ଯ୍ୟୟର ବହୁଦିନ ପରେ ବିଜେଡିର ଚେତା ପଶିଛି। ଏବେ ରାଜ୍ୟ କମିଟର ବ୍ୟାପକ ପରିବର୍ତ୍ତନ କରିଛି। କେବଳ ଜିଲ୍ଲା ଏବଂ ତଳ ସ୍ତରୀୟ କମିଟଗୁଡିକରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। କେବଳ ରାଜ୍ୟ ସ୍ତରୀୟ କମିଟରେ ଏହି ପରିବର୍ତ୍ତନ କରାଯାଇଛି। ଏଥିରେ ବିଜେଡିର ବରିଷ୍ଠ ନେତା ଡ଼ଃ ସଂତୃପ୍ତ ମିଶ୍ର ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ରାଜନୈତିକ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ।ସେହିପରି ଦଳ ୫ ଜଣଙ୍କୁ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି କରିଛି। ଡ. ସଂତୃପ୍ତ ମିଶ୍ରଙ୍କ ସହିତ କଳିକେଶ ନାରାୟଣ ସିଂଦେଓ, ଡ. ଅମର ପଟ୍ଟନାୟକ, ଡ. ସସ୍ମିତ ପାତ୍ର ଓ ପ୍ରଦୀପ କୁମାର ମାଝୀ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ୧୪ ଜଣଙ୍କୁ ରାଜ୍ୟସ୍ତରୀୟ ମୁଖପାତ୍ର ଭାବେ ଦଳ ନିଯୁକ୍ତି ପ୍ରଦାନ କରିଛି। ସେମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କୁମାର ଦେବ,ଡ. ଅରୁଣ କୁମାର ସାହୁ, କ୍ଯାପଟେନ ଦିବ୍ଯ ଶଙ୍କର ମିଶ୍ର, ଦେବୀ ରଞ୍ଜନ ତ୍ରିପାଠୀ, ଶ୍ରୀମୟୀ ମିଶ୍ର, ଲେଖାଶ୍ରୀ ସାମନ୍ତସିଂହାର, ସୁଦାମ ମାର୍ଣ୍ଡି, ସୁଲତା ଦେଓ, ରମେଶ ଚନ୍ଦ୍ର ମାଝୀ, ଭୃଗୁ ବକ୍ସିପାତ୍ର ଓ ଡ. ଲେନିନ ମହାନ୍ତି। ବରିଷ୍ଠ ନେତା ପ୍ରତାପ ଜେନାଙ୍କୁ ବରିଷ୍ଠ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଭାବେ ନିଯୁକ୍ତ ହୋଇଥିବା ବେଳେ ସ୍ବୟଂ ପ୍ରକାଶ ମହାପାତ୍ର ସୋସିଆଲ ମିଡିଆ କୋର୍ଡିନେଟର ଭାବେ ନିଯୁକ୍ତ କରାଯାଇଛି। ସେହିପରି ଲେନିନ ମହାନ୍ତି ଓ ପ୍ରିୟବ୍ରତ ମାଝୀଙ୍କୁ ଗଣମାଧ୍ୟମ ସଂଯୋଜକ ଭାବେ ଦଳ ନିଯୁକ୍ତ କରିଛି। ସେହିଭଳି ସୁକାନ୍ତ କୁମାର ପଣ୍ଡାଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ଜନସଂପର୍କ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ତେବେ ଖୁବଶୀଘ୍ର ନୂଆ ରାଜ୍ୟ ସ୍ତରୀୟ କମିଟି ଗଠନ ହେବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।