ନବଙ୍କ ଶୋକ ସଭାରେ ବିଜେଡିର ଭୋଟ ଚିନ୍ତା

ଶୋକ ସରିନି, ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖିନି । ସାହି ପଡିଶା, ସମ୍ପର୍କୀୟଙ୍କ ମନରୁ ଲିଭିନି କୋହ । ଏମିତିକି ଦଶାହ କର୍ମ ମଧ୍ୟ ସରିନି । ହେଲେ ବିଧାୟକଙ୍କୁ ଘାରିଛି ଉପନିର୍ବାଚନ ଚିନ୍ତା । ତାହା ପୁଣି ଖୋଦ ଶାସକ ଦଳର ବିଧାୟକଙ୍କ ମୃତ୍ୟୁ ପରେ ନିଜ ଦଳର ନେତାଙ୍କର ବଢିିଛି ବାଇ-ଇଲେକସନ ପାଇଁ ଚିନ୍ତା । ବାଦ ପଡିଲା ନାହିଁ ଶୋକ ସଭା । ଏହି କରିତକର୍ମା ନେତା ହେଲେ ରାଉଲକେଲା ବିଧାୟକ ଶାରଦା ପ୍ରସନ୍ନ ନାୟକ । ଏବେ ଚର୍ଚ୍ଚାରେ ଶାରଦାଙ୍କ ବୟାନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ଝାରସୁଗୁଡା କାଳି ମନ୍ଦିର ରୋଡ ସ୍ଥିତ ରାଉତରାୟ ବଗିଚାରେ ଆୟୋଜିତ ହୋଇଥିଲା ଶୋକସଭା ।

ଅନେକ ବ୍ୟକ୍ତି ଯୋଗ ଦେଇ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହା କୌଣସି ରାଜନୈତିକ ମଞ୍ଚ ନଥିଲା । କେବଳ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାର ଅବସର ଥିଲା । ହେଲେ ଏହି ସଭାରେ ଉପନିର୍ବାଚନରେ ଦଳ ବିଜୟ ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଶାରଦା । ସେ କହିଛନ୍ତି, କୌଣସି ସମୟରେ ଉପନିର୍ବାଚନ ହେବ, ସେହି ଉପନିର୍ବାଚନର ଦାୟିତ୍ୱ ମଧ୍ୟ ଆପଣମାନଙ୍କର, ବିଜୟ ତ ସୁନିଶ୍ଚିତ, ବିଜୟର ମାତ୍ରା କେମିତି ଅଧିକା ହେବ, ସେ ଦାୟିତ୍ୱ ଆପଣମାନଙ୍କର ଓ ଆମ ସମସ୍ତଙ୍କର ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ବିରୋଧୀଙ୍କୁ ବିଚଳିତ କରିଥିବା ବେଳେ ଖୋଦ ଶାସକ ଦଳର ନେତାଙ୍କ ଏଭଳି ବୟାନକୁ ନିନ୍ଦା କରାଯାଉଛି । ଏବେ ଏହାକୁ ନେଇ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି । ବିଜେଡି ସବୁବେଳେ ନିର୍ବାଚନ କଥା ଚିନ୍ତା କରେ, କିଏ ମରିଗଲେ କିମ୍ବା ଆଉ କଣ ହେଲେ ଦଳ ଗୁରୁତ୍ୱ ଦିଏ ନାହିଁ ବୋଲି ବିରୋଧୀ କହିଛନ୍ତି ।