ଝାରସୁଗୁଡା ଉପ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ସମର୍ଥକଙ୍କ ଗହଣରେ ଉପଜିଲ୍ଲାପାଳ ଅଫିସ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମେ’ ୧୦ ତାରିଖ ହେବାକୁ ଥିବା ଝାରସୁଗୁଡା ଉପନିର୍ବାଚନ ପାଇଁ କଂଗ୍ରେସ ଓ ବିଜେପି ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରି ସାରିଛନ୍ତି । ଆଜି ବିଜେଡି ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପୂର୍ବରୁ ଦୀପାଳି ମା’ ପାଟଣେଶ୍ୱରୀ ମନ୍ଦିରକୁ ଯାଇ ପୂଜର୍ଚ୍ଚନା କରିଥିଲେ ।
ହଜାର ହଜାର ସମର୍ଥକଙ୍କ ଗହଣରେ ବିଜେଡିର ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ମନ୍ତ୍ରୀ ରୀତା ସାହୁ, ବିଧାୟକ ପ୍ରତାପ ଜେନା, ଶାରଦା ନାଏକ, ଅଳକା ମହାନ୍ତି ଓ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖଙ୍କ ସହ ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଦୀପାଳି ।
ପୂର୍ବରୁ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଦାଖଲ କରିସାରିଛନ୍ତି । କଂଗ୍ରେସ ଓ ବିଜେପି ପ୍ରାର୍ଥୀ ନାମାଙ୍କନ ଦାଖଲବେଳେ ଦଳ ନିଜର ଶକ୍ତି ଦେଖାଇ ଥିବାବେଳେ ବିଜେଡି ବି ପଛରେ ପଡି ନ ଥିଲା । ଦୀପାଳିଙ୍କ ନାମାଙ୍କନ ପାଇଁ ପୂର୍ବରୁ ବରିଷ୍ଠ ବିଜେଡି ନେତା ଯଥା ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଝାରସୁଗୁଡାରେ ପହଞ୍ଚିଥିଲେ । ଏହାବ୍ୟତୀତ ଝାରସୁଗୁଡ଼ା ବିଧାନସଭା କ୍ଷେତ୍ର ସମେତ ବ୍ରଜରାଜନଗର, ରେଙ୍ଗାଲି, ସୁନ୍ଦରଗଡ଼, କୁଚିଣ୍ଡା, ସମ୍ବଲପୁର ଆଦି ଆଖପାଖ ନିର୍ବାଚନ ମଣ୍ଡଳୀରୁ ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା ।