ବିଜେବି କଲେଜ ରାଗିଂ ଘଟଣା: ୪ ଛାତ୍ର ସସ୍ପେଣ୍ଡ

ଭୁବନେଶ୍ୱର : ବିଜେବି ସ୍ୱୟଂଶାସିତକଲେଜର +୨ ଛାତ୍ରଙ୍କୁ ରାଗିଂ ଓ ମାଡ଼ ମାରିବା ଘଟଣାରେ ୪ ଛାତ୍ର ଙ୍କୁ ସସ୍ପେଣ୍ଡ କଲା କଲେଜ I ଏହି ଘଟଣାରେ ପୂର୍ବରୁ ୪ ଛାତ୍ରଙ୍କୁ ଗିରଫ କରିଥିଲା ପୋଲିସ I ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ନାବାଳକ ଅଛନ୍ତି। ନିଲମ୍ୱିତ ହୋଇଥିବା ୪ ଛାତ୍ର ପରୀକ୍ଷା ଯାଏଁ କ୍ୟାମ୍ପସ ମାଟି ମାଡ଼ି ପାରିବେ ନାହିଁ। ସେମାନଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ପଠାଯାଇଛି। ଏହା ସହ କଲେଜ ପରିସର ବାହାରେ ଛାତ୍ରଛାତ୍ରୀ ବସିପାରିବେନି । ଆଜି ଷ୍ଟାଫ୍‌ କାଉନସିଲ ବୈଠକ ପରେ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ପ୍ରିନ୍ସିପାଲ ।

ବିଜେବି କଲେଜରେ ଯୁକ୍ତ ଦୁଇ (ବିଜ୍ଞାନ) ପ୍ରଥମ ବର୍ଷର ଛାତ୍ର ନିୟମିତ ଜଣେ ଛାତ୍ରୀଙ୍କ ସହିତ କ୍ୟାମ୍ପସ୍‌କୁ ଆସୁଥିଲେ। ଯେଉଁଥିପାଇଁ ତାଙ୍କୁ ରାଗିଂ କରିଥିଲେ କେତେକ ସିନିୟର ଛାତ୍ର। ମାଡ଼ ମଧ୍ୟ ମାରିଥିଲେ। ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା । ଏନେଇ ବଡ଼ଗଡ଼ ଥାନାରେ ଏତଲା ଦେଇଥିଲେ ଉଭୟ ଛାତ୍ର ଓ ଛାତ୍ରୀଙ୍କ ପରିବାର । ତେବେ ମାଡ଼ ମାରିବା ଘଟଣାରେ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ହେବାପରେ ଛାତ୍ରଙ୍କର ପରିବାର ଲୋକେ ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ସେପଟେ ଏହା ରାଗିଂ ନୁହେଁ ବ୍ୟକ୍ତିଗତ କାରଣରୁ ଗଣ୍ଡଗୋଳ ହୋଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି । ଜଣେ ଛାତ୍ରୀ ସହ ଅନ୍ୟ ଜଣେ ଛାତ୍ରଙ୍କ ଯିବା ଆସିବାକୁ ଅନ୍ୟ କିଛି ଛାତ୍ର ବିରୋଧ କରିଥିଲେ । ଏହାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଗତକାଲି ବିଜେବି ହାୟର ସେକେଣ୍ଡାରୀ ସ୍କୁଲ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରଙ୍କ ମାଡରେ ଲହୁଲୁହାଣ ହୋଇଥିଲେ ପ୍ରଥମ ବର୍ଷର ଛାତ୍ର ।