ବିଞ୍ଝାଲ ସମାଜର ଦାବି: ତିଳୋତ୍ତମାଙ୍କୁ ଟିକେଟ୍ ମିଳୁ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ବିଜେଡିରୁ କିଏ ହେବେ ପ୍ରାର୍ଥୀ? ରେସ୍‌ରେ ଦିବଙ୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ପତ୍ନୀ ଓ ପୁତୁରା ବୋହୂ ଥିବା ବେଳେ ଏବେ ଏଣ୍ଟ୍ରି ମାରିଛନ୍ତି ଝିଅ ବର୍ଷା । ତେଣେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବରିହା ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରିବାକୁ ଦାବିକରିଛନ୍ତି ବିଞ୍ଝାଲ ସମାଜ । ବହୁସଂଖ୍ୟାରେ ବିଞ୍ଝାଲ ସମାଜର କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଦିବଙ୍ଗତ ବିଜୟଙ୍କ ପତ୍ନୀ ତିଳୋତ୍ତମାଙ୍କୁ ପ୍ରାର୍ଥୀ କଲେ ପୂରା ସମାଜ ତାଙ୍କୁ ସମର୍ଥନ କରିବ । ବିଜେଡି ବିଜୟୀ ହେବ ବୋଲି ସମାଜ ପକ୍ଷରୁ କୁହାଯାଇଛି । ବିଜେଡି ତିଳୋତ୍ତମାଙ୍କ ବ୍ୟତୀତ ତାଙ୍କ ଝିଅ ବର୍ଷା ବରିହାଙ୍କୁ ବି ଟିକେଟ୍ ଦେଲେ ତାଙ୍କର ସମର୍ଥନ ରହିବ । କିନ୍ତୁ ଏହା ବ୍ୟତିତ ଅନ୍ୟ କାହାକୁ ଟିକେଟ୍ ଦେଲେ ସମର୍ଥନ ରହିବନି ବୋଲି ଖୋଲାଖୋଲି ଭାବରେ କହିଛି ବିଞ୍ଝାଲ ସମାଜ । ତିଲୋତ୍ତମା ଓ ପୁତୁରା ବୋହୁ ମାଧବୀ ସିଂ ବରିହା ଇଚ୍ଛୁକ ଥିବା ପୂର୍ବରୁ ଜଣାପଡ଼ିଥିଲା । ପଦ୍ମପୁର ଉପ ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଦେଇସାରିିଥିବା ବେଳେ ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ ଅଙ୍କକଷା ଜାରି ରହିଛି । ବିଜେଡି ପ୍ରାର୍ଥୀ ଦୌଡ଼ରେ ବର୍ଷା ବରିହାଙ୍କ ନାଁ ଏବେ ସମସ୍ତଙ୍କଠୁ ଆଗରେ ଥିବା ଶୁଣିବାକୁ ମିଳୁଛି । ବର୍ଷା ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ବରିହାଙ୍କ ବଡ଼ଝିଅ । ଚର୍ଚ୍ଚା ହେଉଛି ବିଜେଡି ବର୍ଷାଙ୍କ ନାଁରେ ମୋହର ମାରିପାରେ । ଦିନେ ଦୁଇଦିନ ଭିତରେ ଏନେଇ ଘୋଷଣା ହୋଇପାରେ । ବିଜୟ ରଞ୍ଜନ ବରିହାଙ୍କ ଦେହାନ୍ତ ପରେ ପଦ୍ମପୁର ଉପିନର୍ବାଚନ ହେଉଛି । ତେଣୁ ବରିହା ପରିବାରର ଜଣକୁ ପ୍ରାର୍ଥୀ କଲେ ଏହାଦ୍ୱାରା ସମବେଦନା ଭୋଟ ଓ ବିଜୟଙ୍କ ପକେଟ ଭୋଟ୍ ବିଜେଡି ଖାତାକୁ ଆସିବ । ବିଜୟ ସହଜ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଯଦି ବର୍ଷାଙ୍କୁ ପ୍ରାର୍ଥୀ କରାଯାଏ, ତା’ହେଲେ ବିଜେଡି ମହିଳା କାର୍ଡ ଖେଳି ବିରୋଧୀଙ୍କୁ ମାତ୍ ଦେଇପାରିବ ବୋଲି କୁହାଯାଉଛି । ସେହିପରି ନୂଆପଡ଼ା ଜିଲ୍ଲାରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳ ମହେନ୍ଦ୍ର ବଢେଇଙ୍କ ଇସ୍ତଫା ଚର୍ଚ୍ଚା ପରେ ତାଙ୍କ ପ୍ରାର୍ଥିତ୍ୱ ନେଇ କେତେକ ମଧ୍ୟ ଆଲୋଚନା କରୁଛନ୍ତି । ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟଭୂଷଣ ସାହୁ ପ୍ରାର୍ଥୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ଏବେଠାରୁ ବହୁ ମନ୍ତ୍ରୀ ଓ ବିଧାୟକ ପଦ୍ମପୁରରେ ରହି ରଣନୀତି ପ୍ରସ୍ତୁତ କରୁଛନ୍ତି । ଆସନ୍ତା ୧୬ତାରିଖରେ ବିଜେଡି ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲକରିବେ ବୋଲି କହିଛନ୍ତି ବିଧାୟକ ସୁଶାନ୍ତ ସିଂ । ତେଣେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ସୋମବାର ପ୍ରାର୍ôଥପତ୍ର ଦାଖଲ କରିବେ । ଏହାରି ଭିତରେ ରବିବାର ପୂଜାପାଠ ମଧ୍ୟରେ ବରଗଡ଼ ପାଇକମାଲରେ ବିଜେପିର ଏକ ନୂଆ ଅଫିସ୍ ଉଦ୍‌ଘାଟିତ ହୋଇଛି । ସେପଟେ ଉପନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ସର୍ବଦଳୀୟ ବୈଠକ ବସିଛି । ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ହୋଇଥିବା ଏହି ବୈଠକରେ ମିଡିଆ ସାର୍ଟିଫିକେସନ୍ ଓ ମନିଟରିଂ କମିଟିର କାର୍ଯ୍ୟାବଳୀ ତଥା ବିଭିନ୍ନ ରାଜନୈତିକ ଦଳର ନିର୍ବାଚନ ଖର୍ଚ୍ଚ ସମ୍ପର୍କରେ ଆଲୋଚନା ହୋଇଥିଲା । ଜଣେ ପ୍ରାର୍ଥୀ ନିର୍ବାଚନରେ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ବୋଲି କୁହାଯାଇଛି । କୌଣସି ଗଣମାଧ୍ୟମର ପ୍ରତିନିଧି ଯେକୈାଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କିମ୍ବା ପ୍ରାର୍ଥୀଙ୍କ ପ୍ରଚାର କରିବା ପୂର୍ବରୁ ମିଡିଆ ମନିଟରିଂ କମିଟିର ଅନୁମତି ନେବାକୁ କୁହାଯାଇଛି । ଯଦି କୌଣସି ଖବର ଦେୟଯୁକ୍ତ ବୋଲି ସନ୍ଦେହ ହୁଏ, ତାହେଲେ କମିଟି ତା ଉପରେ ପୁନଃନିଷ୍ପତ୍ତି ନେବ । ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏସ୍‌ପି, ନିର୍ବାଚନ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳଙ୍କ ସହ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧି ସାମିଲ ଥିଲେ ।