ବ୍ରହ୍ମପୁର: ବହୁ ଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ୧୦ ମାସ ଜେଲ୍ରେ ରହିବା ପରେ ନିକଟରେ ଜାମିନରେ ଆସିଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ଏକ ମାମଲା ରୁଜୁ ହୋଇଛି। ସାକ୍ଷୀଙ୍କୁ ଫୋନ୍ରେ ଧମକଚମକ ଦେବା ଅଭିଯୋଗରେ ଏହି ମାମଲା ରୁଜୁ କରାଯାଇଛି। ଅଭିଯୋଗ ଅନୁଯାୟୀ, ଜେଲ୍ ଭିତରେ ସେ ଜଣେ ଡାକ୍ତରଙ୍କ ଫୋନ୍ ନେଇ ସାକ୍ଷୀଙ୍କୁ ଧମକାଇ ଥିଲେ। ଏନେଇ ଗୋଷାଣୀ ନୂଆଗାଁ ଥାନାରେ ଏତଲା ପରେ ମାମଲା ରୁଜୁ ହୋଇଛି। ଅଗଷ୍ଟ ୩୧ ତାରିଖରେ ତାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିବା ପରେ ସେପ୍ଟେମ୍ବର ୧ ତାରିଖ ସନ୍ଧ୍ୟାରେ ସେ ବ୍ରହ୍ମପୁର ଜେଲ୍ରୁ ମୁକୁଳିଥିଲେ। ବିକ୍ରମ ପଣ୍ଡାଙ୍କୁ ଗିରଫଦାରୀର ଆଧାର/କାରଣ ସଂକ୍ରାନ୍ତରେ ଗିରଫ ବେଳେ ଅବଗତ କରାଯାଇ ନଥିଲା ବୋଲି ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା। ଗିରଫ କରିଥିବା ଅଧିକାରୀ ଏହି ପ୍ରସଙ୍ଗରେ ଆଇନରେ ଥିବା ବ୍ୟବସ୍ଥା ପାଳନ କରି ନଥିଲେ। ସମ୍ବିଧାନର ଧାରା ୨୨(୧) ଓ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ର ଧାରା ୪୭ ଓ ୪୮ରେ ରହିଥିବା ବ୍ୟବସ୍ଥା ଅନୁସାରେ ତଥା ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ଶ୍ରୀ ପଣ୍ଡାଙ୍କୁ ଗିରଫଦାରୀର କାରଣ ସଂକ୍ରାନ୍ତରେ ଅବଗତ କରାଯାଇ ନଥିଲା। ଏହା ସମ୍ବିଧାନର ଧାରା ୨୨(୧)ରେ ଆବେଦନକାରୀଙ୍କୁ ପ୍ରଦାନ କରାଯାଇଥିବା ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ହାଇକୋର୍ଟ କହିଛନ୍ତି। ଏପରି ଗିରଫଦାରୀ ଅବୈଧ ହୋଇଥିବାରୁ ଆବେଦନକାରୀଙ୍କୁ ସଶର୍ତ୍ତମୂଳକ ଜାମିନରେ ଛାଡ଼ିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ପଣ୍ଡାଙ୍କ ଜାମିନ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଥିଲେ।