ନୂଆଦିଲ୍ଲୀ: ଦିଲ୍ଲୀର ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଝଟକା ଦେଲାଭଳି ଖବର ସାମ୍ନାକୁ ଆସିଛି। ଏଣିକି ଦେଶର ରାଜଧାନୀରେ ବିଦ୍ୟୁତ୍ ବିଲ୍ ପୂର୍ବ ଅପେକ୍ଷା ଅଧିକ ଆସିବ। ବିଶେଷ କରି ମାସକୁ ୫୦୦ ୟୁନିଟ୍ରୁ ଅଧିକ ବିଦ୍ୟୁତ୍ ବ୍ୟବହାର କରୁଥିବା ଗ୍ରାହକମାନେ ଏହା ଦ୍ୱାରା ସିଧାସଳଖ ପ୍ରଭାବିତ ହେବେ। ଦିଲ୍ଲୀ ବିଦ୍ୟୁତ୍ ନିୟାମକ ଆୟୋଗ ରାଜଧାନୀର ତିନୋଟି ପ୍ରମୁଖ ବିଦ୍ୟୁତ୍ ବିତରଣ କମ୍ପାନୀ (BRPL, BYPL ଏବଂ TPDDL) କୁ ‘ପାୱାର ପର୍ଚେଜ୍ ଆଡଜଷ୍ଟମେଣ୍ଟ କଷ୍ଟ’ (PPAC) ବା ବିଦ୍ୟୁତ୍ କ୍ରୟ ଶୁଳ୍କ ଆଦାୟ କରିବାକୁ ଅନୁମତି ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ‘PPAC’ ହେଉଛି ଏକ ବ୍ୟବସ୍ଥା ଯାହା ଦ୍ୱାରା ବିଦ୍ୟୁତ୍ ଉତ୍ପାଦନ କମ୍ପାନୀଗୁଡ଼ିକ ନିକଟରୁ ବିଦ୍ୟୁତ୍ କିଣିବା ପାଇଁ ହେଉଥିବା ଅତିରିକ୍ତ ଖର୍ଚ୍ଚକୁ ଗ୍ରାହକଙ୍କ ଠାରୁ ଆଦାୟ କରାଯାଇଥାଏ। ବର୍ତ୍ତମାନ ବଜାରରେ କୋଇଲା, ଗ୍ୟାସ୍ ଏବଂ ଅନ୍ୟାନ୍ୟ ଇନ୍ଧନର ଦର ବୃଦ୍ଧି ପାଇବା ଯୋଗୁଁ ବିଦ୍ୟୁତ୍ ଉତ୍ପାଦନ ତଥା କ୍ରୟ ଖର୍ଚ୍ଚ ଯଥେଷ୍ଟ ବଢ଼ିଯାଇଛି। ଡିସକମ୍ ବା ବିଦ୍ୟୁତ୍ ବିତରଣ କମ୍ପାନୀଗୁଡ଼ିକ ଏହି ବର୍ଦ୍ଧିତ ଖର୍ଚ୍ଚର ଭରଣା ପାଇଁ ଗ୍ରାହକଙ୍କ ଉପରେ ଏହି ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ଯାଉଛନ୍ତି, ଯାହା ଫଳରେ ଆଗାମୀ ଦିନରେ ମାସିକ ବିଦ୍ୟୁତ୍ ବିଲ୍ ବୋଝ ବଢ଼ିବା ସୁନିଶ୍ଚିତ।