ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଲାଗିଛି ଏକ ବଡ଼ ରାଜନୈତିକ ଝଟକା। ତାଙ୍କର ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ତଥା ଟିଏମସି ରାଜ୍ୟ ସଭାପତି ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ସମସ୍ତ ଦଳୀୟ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ଦଳୀୟ ମୁଖ୍ୟ ମମତା ବାନାର୍ଜୀଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଚନ୍ଦ୍ରିମା ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଗତ ଜୁନ୍ ୩ ତାରିଖରେ କାଲିଘାଟ ବୈଠକରେ ତାଙ୍କୁ ମିଳିଥିବା ରାଜ୍ୟ ସଭାପତି ଦାୟିତ୍ୱ ସହ ଦଳର ଅନ୍ୟ ସମସ୍ତ ପଦପଦବୀରୁ ସେ ନିଜକୁ ଦୂରେଇ ନେଉଛନ୍ତି। କେବଳ ସେତିକି ନୁହେଁ, ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ ଏବଂ ଏହାର ସହଯୋଗୀ ସଂଗଠନଗୁଡ଼ିକର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ପାଇଁ ଥିବା ତାଙ୍କର ‘ଅଥରାଇଜ୍ଡ ସିଗ୍ନେଟୋରୀ’ଦାୟିତ୍ୱକୁ ମଧ୍ୟ ସେ ପ୍ରତ୍ୟାହାର କରିଛନ୍ତି। ଇସ୍ତଫା ପତ୍ରରେ ଚନ୍ଦ୍ରିମା ସ୍ପଷ୍ଟ କରିଛନ୍ତି ଯେ, ସେ ଭାରତୀୟ ନିର୍ବାଚନ କମିଶନଙ୍କ ସମ୍ମୁଖରେ ମମତା ବାନାର୍ଜୀଙ୍କ ପକ୍ଷରୁ ଅଧିକୃତ ବ୍ୟକ୍ତି ଭାବରେ ଆଉ କାର୍ଯ୍ୟ କରିବେ ନାହିଁ ଏବଂ ଏଥିପାଇଁ ଦେଇଥିବା ନିଜର ସମ୍ମତି ପ୍ରତ୍ୟାହାର କରୁଛନ୍ତି।