ଦଶମ ଓ ଦ୍ୱାଦଶ ମାର୍କସିଟକୁ ନେଇ ବଡ ଘୋଷଣା

ନୂଆଦିଲ୍ଲୀ:କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦଶମ ଏବଂ ଦ୍ୱାଦଶ ପରୀକ୍ଷା ରେଜଲ୍ଟକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଛାତ୍ରଛାତ୍ରୀଙ୍କ ଚାପ କମାଇବାକୁ ଯାଇ ସିବିଏସଇ ବୋର୍ଡ ପକ୍ଷରୁ ଦଶମ ଏବଂ ଦ୍ୱାଦା ପରୀକ୍ଷାରେ ଡିଭିଜନ, ଡିଷ୍ଟିଙ୍ଗସନ ଏବଂ ପର୍ସେଣ୍ଟେଜ ବନ୍ଦ କରିବା ନିଷ୍ପତ୍ତି ନେଇଛି । ଏପରିକି ସିବିଏସଇ ମେରିଟ ଲିଷ୍ଟ ମଧ୍ୟ ବନ୍ଦ କରି ଦେଇଛି । ବୋର୍ଡ ପ୍ରତି ବିଷୟରେ ମିଳିଥିବା କେବଳ ନମ୍ବରକୁ ଦର୍ଶାଇବ । ଏହି ନିଷ୍ପତ୍ତି ଫଳରେ ଅତି ଭଲ ନମ୍ବର ରଖୁ ନ ଥିବା ପିଲାଙ୍କ ଉପର ଚାପ ପଡିବ ନାହିଁ ଏବଂ ସେମାନଙ୍କର ଆତ୍ମବିଶ୍ୱାସ ବଢିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ସିବିଏସଇ ବୋର୍ଡ ପରୀକ୍ଷା ନିୟନ୍ତ୍ରକ ସଂଯମ ଭରଦ୍ୱାଜଙ୍କ କହିବା ଅନୁଯାୟୀ, ଏବେ ବୋର୍ଡ ଓଭରାଲ ଡିଭିଜନ ବା ଡିଷ୍ଟିଙ୍ଗସନ ଜାରି କରିବ ନାହିଁ । ଯଦି ଛାତ୍ରଛାତ୍ରୀ ୫ଟିରୁ ଅଧିବ ବିଷୟ ନେଇଛନ୍ତି ତେବେ ଏହା ସଂସ୍ଥା ସ୍ଥିର କରିବ କେଉଁ ୫ଟି ବିଷୟକୁ ବେଷ୍ଟ ବୋଲି ଗଣାଯିବ । ତଥ୍ୟ ଅନୁଯାୟୀ, ଯଦି ଉଚ୍ଚ ଶିକ୍ଷା କିମ୍ବା ଚାକିରୀ କ୍ଷେତ୍ରରେ ପରସେଣ୍ଟେଜ ହିସାବ କରିବାର ଆବଶ୍ୟକତା ପଡେ ତେବେ ସଂପୃକ୍ତ ସଂସ୍ଥା କିମ୍ବା ଉକ୍ତ କମ୍ପାନୀ ହିସାବ କରିପାରିବ । ବୋର୍ଡ ପକ୍ଷରୁ ଏ ସମ୍ପର୍କିତ କୌଣସି ସୂଚନା ଦିଆଯିବ ନାହିଁ ।

ଏବେ ମାର୍କସିଟରେ କେବଳ ଛାତ୍ରଙ୍କ ନାମ, ରୋଲ ନମ୍ବର, ସ୍କୁଲ ନାମ, ବିଷୟ ନାମ, ପାଇଥିବା ନମ୍ବର ଏବଂ ମୋଟ ନମ୍ବର ରହିବ । ଏହା ବ୍ୟତୀତ କୌଣସି ସୂଚନା ମାର୍କ ସିଟରେ ରହିବ ନାହିଁ ।