୪ ବର୍ଷ ପରେ ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କଲେ ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅନୁଷ୍ଠିତ ହେବାକୁଥିବା ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚ୍ ପାଇଁ ଅଭିଜ୍ଞ ପେସ୍ ବୋଲର ଭୁବନେଶ୍ୱର କୁମାରଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ଦୀର୍ଘ ଚାରି ବର୍ଷର ବ୍ୟବଧାନ ପରେ ସେ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ମନୋନୀତ ହୋଇଥିବା ବେଳେ ବର୍ତ୍ତମାନ ସେ ଏହାର ପୂର୍ବରୁ ସିଧାସଳଖ ଟିମ୍ ଇଣ୍ଡିଆକୁ ଫେରିଛନ୍ତି। ଅନ୍ୟପକ୍ଷରେ, ଚତୁର୍ଥ ମ୍ୟାଚ୍‌ରେ ଆହତ ହୋଇଥିବା ଅର୍ଶଦୀପ ସିଂହଙ୍କୁ ନେଇ ବିସିସିଆଇ ପକ୍ଷରୁ ମଧ୍ୟ ଆବଶ୍ୟକୀୟ ଅପଡେଟ୍ ପ୍ରଦାନ କରାଯାଇଛି। ବିସିସିଆଇ ଆନୁଷ୍ଠାନିକ ଭାବରେ ସୂଚନା ଦେଇ କହିଛି ଯେ, ପୁରୁଷ ଚୟନ କମିଟି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶେଷ ତଥା ପଞ୍ଚମ ଟି-୨୦ ମ୍ୟାଚ୍ ପାଇଁ ଭୁବନେଶ୍ୱର କୁମାରଙ୍କୁ ଭାରତୀୟ ସ୍କାଡ୍‌ରେ ସାମିଲ କରିଛି। ଆସନ୍ତା ଶନିବାର ଅକ୍ଟୋବର ୧୭ ତାରିଖରେ ବେଙ୍ଗାଲୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ପୂର୍ବରୁ ବେଙ୍ଗାଲୁରୁସ୍ଥିତ ଉତ୍କର୍ଷ କେନ୍ଦ୍ରରେ ଥିବା ଭୁବନେଶ୍ୱର ବର୍ତ୍ତମାନ ସଫଳତାର ସହ ଭାରତୀୟ ଶିବିରରେ ଯୋଗ ଦେଇଛନ୍ତି।