ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର ଉପରକୁ ଆଜି ଅଣ୍ଡାମାଡ଼ ହୋଇଛି। ବାଲିପାଟଣାରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଏହି ଅଣ୍ଡାମାଡ଼ କରାଯାଇଥିଲା। ବେରୋଜଗାର ସହିତ ରନ୍ଧନ ଗ୍ୟାସ ଓ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରାଯାଇଥିଲା। ଅଣ୍ଡାମାଡ଼ ସହିତ ତାଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା।ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି, ବିଜେପି ଦେଶର ବେକାର ଯୁବକଯୁବତୀମାନଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିଥିଲା। କିନ୍ତୁ କାହାକୁ ଚାକିରି ଦେଲା ନାହିଁ। ଓଲଟି ଦେଶରେ ବେରୋଜଗାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପୁଣି ଯେଉଁମାନେ ଚାକିରି କରୁଥିଲେ, ସେମାନଙ୍କୁ ଛଟେଇ କରାଯାଉଛି। ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରର ସାଂସଦ ହେଲେ। କିନ୍ତୁ ଏଠାକାର ପିଲାଙ୍କୁ ଚାକିରି ଦେଇ ପାରିଲେ ନାହିଁ। ସେ ତାଙ୍କ ଦଳୀୟ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। ଯୁବକ ତଥା ସାଧାରଣ ଲୋକଙ୍କ ବିଷୟରେ ସେ ଆଦୌ ଚିନ୍ତା କରୁ ନାହାନ୍ତି। ଅନ୍ୟପକ୍ଷରେ ବିଭିନ୍ନ ସାମଗ୍ରୀର ଦରଦାମ ବି ହୁ ହୁ ହୋଇ ବଢ଼ିଚାଲିଛି। ଏସବୁର ପ୍ରତିବାଦରେ ଛାତ୍ର କଂଗ୍ରେସ ସାଂସଦଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିଛି।ୟାସିର ଆହୁରି କହିଛନ୍ତି, ପୂର୍ବରୁ ଛାତ୍ର କଂଗ୍ରେସ କହିଥିଲା ଯେ ଯେତେ ଦିନ ପର୍ଯ୍ୟନ୍ତ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବ ସେତେ ଦିନ ପର୍ଯ୍ୟନ୍ତ ବିଜେଡି ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରାଯିବ। ତା’ସହିତ ସେମାନଙ୍କୁ କଳାପତାକା ପ୍ରଦର୍ଶନ କରାଯିବ। ଠିକ୍ ସେହିପରି ଭାବେ ଯୁବକଯୁବତୀମାନଙ୍କୁ ରୋଜଗାରର ସୁଯୋଗ ନଦେବା ପର୍ଯ୍ୟନ୍ତ ବିଜେପିର କୌଣସି ମନ୍ତ୍ରୀଙ୍କୁ ଓଡ଼ିଶାରେ ପାଦ ପକାଇବାକୁ ଦିଆଯିବ ନାହିଁ।
ସୂଚନାଯୋଗ୍ୟ, ବର୍ତ୍ତମାନ ରାଜ୍ୟରେ ଅଣ୍ଡାମାଡ଼ ରାଜନୀତି ଜୋର ଧରିଛି I ସେହିଭଳି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ ଉପରକୁ ପୁରୀ ରୁ ଫେରିବା ବେଳେ ହସ୍ପିଟାଲ ଛକରେ ବିଜେପି ପକ୍ଷରୁ ଅଣ୍ଡା ମାଡ଼ କରାଯାଇଥିଲା I

Comments (0)
Add Comment