ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ର,ଆସନ୍ତା ୪ ବର୍ଷ ମଧ୍ୟରେ ସରିବ କାମ

ଭୁବନେଶ୍ୱର : ନୂଆ ବର୍ଷରେ ରାଜ୍ୟବାସୀଙ୍କୁ ଭେଟି ଦେଲେ ରାଜ୍ୟ ସରକାର I ସାକାର ହୋଇଛି ରାଜ୍ୟବାସୀଙ୍କ ‘ମେଟ୍ରୋ’ ରେଳ ସ୍ୱପ୍ନ। ବହୁପ୍ରତୀକ୍ଷିତ ମେଟ୍ରୋ ରେଳର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟର ବିଜୁ ପଟ୍ଟନାୟକ ଅନ୍ତଜାର୍ତୀୟ ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ତ୍ରିଶୁଳିଆ ନିକଟ ରତଗଡ଼ର ଲେଙ୍କା ସାହିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ମେଟ୍ରୋ ପ୍ରକଳ୍ପର ଶୁଭାରମ୍ଭ ପୂର୍ବରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ରୋଡ୍ ଶୋ’ରେ ବାହାରି ରତାଗଡ ଲେଙ୍କାସାହିରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ରୋଡ ଶୋ’ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ୧୨ଟି ସ୍ଥାନରେ ଜୋରଦାର ସ୍ୱାଗତ କରାଯାଇଥିଲା । ରୋଡ ଶୋ’ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଫୁଲ ପକାଇ, ଶଙ୍ଖ ବଜାଇ ସ୍ୱାଗତ କରିଥିଲେ ସାଧାରଣ ଲୋକେ । ସେଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତ୍ରିଶୁଳିଆ ଅଭିମୁଖେ ଯାଇଥିଲେ। ତ୍ରିଶୁଳିଆ ଯିବା ବାଟରେ କ୍ୟାପିଟାଲ ହସ୍ପିଟାଲ ଛକ, ଜୟଦେବ ବିହାର ଛକ, ଜାଭିଅର ଛକ, ରେଳ ସଦନ, ପଟିଆ, କିଟ ଛକ, ରଘୁନାଥପୁର ପ୍ରମୁଖ ସ୍ଥାନରେ ଲୋକଙ୍କୁ ଭେଟିଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ବରରେ ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ମୋଟ ୬୨୫୫ କୋଟି ଟଙ୍କା ବ୍ୟୟ ହେବ। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏୟାରପୋର୍ଟଠାରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ୨୬ କିଲୋମିଟର ପର୍ଯ୍ୟନ୍ତ ଏହି ମେଟ୍ରୋ ରେଳ ଚାଲିବ। ଏହା ମଧ୍ୟରେ ମୋଟ ୨୦ଟି ଷ୍ଟେସନ ରହିବ। ରାଜମହଲ, ଜୟଦେବ ବିହାର, କ୍ୟାପିଟାଲ ହସପିଟାଲ, ପଟିଆ ପ୍ରଭୃତି ପ୍ରମୁଖ ସ୍ଥାନ ସହ ଅନ୍ୟ ଜାଗାରେ ଷ୍ଟେସନ ବ୍ୟବସ୍ଥା ହେବ। ଚଳିତ ବର୍ଷ ଏପ୍ରିଲ ପହିଲାରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଘୋଷଣା କରିଥିଲେ। ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଲିଃ ଏହାର ଡିପିଆର ପ୍ରସ୍ତୁତ କରିଛି। ମୋ ସରକାରଙ୍କ ୫-ଟି ଅଧୀନରେ ଏହା ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ, ଯାହା ଏକ ନୂତନ ଓଡ଼ିଶାର ଆବିର୍ଭାବର ପ୍ରତୀକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି I

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ମେୟର ସୁଲୋଚନା ଦାସ, କଟକ ମେୟର ସୁବାସ ସିଂହ, ମନ୍ତ୍ରୀ ଉଷା ଦେବୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅଶୋକ ଚନ୍ଦ୍ର ପଣ୍ଡା, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଛନ୍ତି।