ଭୁବନେଶ୍ୱର ଏମ୍‌ସ ଡାକ୍ତର ଗିରଫ: ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ପ୍ରତାରଣା କରିଥିଲେ

ଭୁବନେଶ୍ୱର: ବ୍ୟାଙ୍କରେ କାର୍ଯ୍ୟରତ ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରିରୀକ ସମ୍ପର୍କ ରଖିଲେ । ଏପରିକି ଯୁବତୀ ଜଣଙ୍କ ଗର୍ଭବତୀ ହେବାରୁ ତାଙ୍କୁ ପ୍ରତାରଣା କରି ଧରାଛୁଆଁ ନଦେବା ସହ ହତ୍ୟା ଧମକ ଦେଇଥିଲେ । ଏ ନେଇ ପୀଡ଼ିତା ଜଣଙ୍କ ମହିଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ମଙ୍ଗଳବାର ଏମ୍ସ ହସ୍ପିଟାଲର କାର୍ଯ୍ୟରତ ହୃଦରୋଗ ବିଶେଷଜ୍ଞ ଜୟଦୀପ ଦାସଗୁପ୍ତାଙ୍କୁ ଗିରଫ କରିଛି । ଗିରଫ ଡାକ୍ତରଙ୍କ ଘର ପଶ୍ଚିମବଙ୍ଗ ସାଉଥ୍ ୨୪ ପ୍ରାଙ୍ଗଣ ଜିଲ୍ଲାରେ । ସେ ଏଠାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ପରିସରରେ ପିଜି-୨ ହଷ୍ଟେଲ, ରୁମ୍ ନମ୍ବର- ୧୨୦ରେ ରହୁଥିଲେ । ସେ ଏମ୍ସ ହସ୍ପିଟାଲର ହୃଦରୋଗ ବିଭାଗର ପିଜି ତୃତୀୟ ବର୍ଷର ଛାତ୍ର ଭାବେ ଅଧ୍ୟୟନ କରିବା ସହ ହୃଦରୋଗ ବିଭାଗର ଡାକ୍ତରଭାବେ ମଧ୍ୟ କାର୍ଯ୍ୟ କରୁଥିଲେ । ହୃଦରୋଗ ବିଭାଗର ଡାକ୍ତର ଜୟଦୀପ ଯୁବତୀଙ୍କୁ ପ୍ରତାରଣା କରୁଥିବା ନେଇ ସେ ସୋମବାର ମହିଳା ଥାନାରେ ଅଭିଯୋଗ କରିବାପରେ ପୁଲିସ ତାଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ୪୯୩, ୪୧୭, ୩୧୩, ୪୨୦ ଓ ୫୦୬ ଦଫା ଲାଗିଛି । ଗିରଫ ଡାକ୍ତରଙ୍କୁ ମହିଳା ଥାନା ପୁଲିସ ମଙ୍ଗଳବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି । ଜାମିନ୍ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲା ଅଞ୍ଚଳର ଏହି ଯୁବତୀ ଭୁବନେଶ୍ୱରରେ ଭଡାରେ ରହିବା ସହ ଏକ ବ୍ୟାଙ୍କରେ କାର୍ଯ୍ୟରତ ଅଛନ୍ତି । ୨୦୨୦ ଡିସେମ୍ବର ୧୭ରେ ତାଙ୍କ ବାପାଙ୍କ ଦେହ ଖରାପ ହେବାରୁ ଏମ୍ସ ହସ୍ପିଟାଲକୁ ଆଣିଥିଲେ । ହୃଦ ବିଭାଗ ୱାର୍ଡରେ ଯୁବତୀଙ୍କ ବାପାଙ୍କୁ ଜୟଦୀପ ଚିକିତ୍ସା କରୁଥିବା ସମୟରେ ତାଙ୍କ ସହ ସାକ୍ଷାତ ହୋଇଥିଲା । ସେଠାରେ ଜୟଦୀପ ଯୁବତୀଙ୍କୁ ତାଙ୍କ ମୋବାଇଲ ନମ୍ବର ମାଗିଥିଲେ । କିନ୍ତୁ ଯୁବତୀ ନମ୍ବର ଦେବାକୁ ମନା କରିବାରୁ ଜୟଦୀପ ତାଙ୍କ ବାପାଙ୍କୁ ସେଠାରୁ ଘରକ ୁନେବାକୁ ଦେବେ ନାହିଁ ବୋଲି କହିଥିଲେ । ତେଣୁ ଯୁବତୀ ବାଧ୍ୟ ହୋଇ ତାଙ୍କୁ ନିଜ ନମ୍ବର ଦେଇଥିଲେ । ନମ୍ବର ନେବା ପରେ ଜାନୁଆରୀ ୨୦୨୧ ପର ଠାରୁ ଜୟଦୀପ୍ ତାଙ୍କ ସହିତ ନିୟମିତ ବ୍ୟବଧାନରେ ଫୋନରେ କଥା ହେଉଥିଲେ । ପରେ ଜୟଦୀପ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ବିଶ୍ୱାସ ଭାଜନ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରେ ସମ୍ପକ ର୍ଅଧିକ ଘନୀଭୂତ ହୋଇଥିଲା । ଉଭୟଙ୍କ ମିଳାମିଶା ମଧ୍ୟରେ ଯୁବତୀ ୨ ମାସର ଗର୍ଭବତୀ ହୋଇଥିଲେ । ମାତ୍ର ଜୟଦୀପ ମେଡିସିନ୍ ଦ୍ୱାରା ତାଙ୍କର ଗର୍ଭପାତ କରାଇଥିଲେ । କିଛି ଦିନ ପରେ ଜୟଦୀପଙ୍କର ଅନ୍ୟଜଣେ ଝିଅ ସହିତ ନିର୍ବନ୍ଧ ହୋଇଥିବା ନେଇ ଯୁବତୀ କୌଣସି ସୂତ୍ରରୁ ସୂଚନାପାଇଥିଲେ । ଏ ବିଷୟରେ ସତ୍ୟତା ଜାଣିବା ନିମନ୍ତେ ହଠାତ ସେ ଦିନେ ଜୟଦୀପଙ୍କ ହଷ୍ଟେଲକୁ ଚାଲିଯାଇଥିଲେ । ସେଠାରେ ଉଭୟଙ୍କ ଭିତରେ ଯୁକ୍ତିତର୍କ ହେବା ସହ ଜୟଦୀପ ଉତ୍ତ୍ୟକ୍ତ ହୋଇ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣା କାହା ସମ୍ମୁଖରେ କହିଲେ ଜୀବନରୁ ମାରିଦେ ବୋଲି ଧମକ ମଧ୍ୟ ଦେଇଥିଲେ । ଅନ୍ୟ ଉପାୟ ନପାଇ ଯୁବତୀ ସୋମବାର ମହିଳା ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲାର ତଦନ୍ତ କରିବା ସହ ମଙ୍ଗଳବାର ଜୟଦୀପଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।