ଟ୍ରାଏଲିଙ୍ଗ ହେଲା ବନ୍ଦେ ଭାରତ ଏକ୍ସପ୍ରେସ

ଓଡ଼ିଶାରେ ପରୀକ୍ଷାମୂଳକ ଭାବେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ  । ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଆଜି ସକାଳ ୬.୧୦ରେ ହାୱଡାରୁ ବାହାରିଥିଲା ।  ପୁରୀରେ ପହଞ୍ଚିବାକୁ ପ୍ରାୟ ୬ ଘଣ୍ଟା ଲାଗିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ମଧ୍ୟାହ୍ନ ପ୍ରାୟ ୧୨.୩୫ ବେଳକୁ ଏହା ପୁରୀରେ ପହଞ୍ଚିବ । ଟ୍ରେନ ପୁଣି ପୁରୀରୁ ୧.୫୦ରେ ବାହାରିବ ଏବଂ ହାୱଡାରେ ୮.୩୦ରେ ପହଞ୍ଚିବ । ବାଟରେ ଖଡଗପୁର, ବାଲେଶ୍ୱର, ଭଦ୍ରକ, ଜାଜପୁର, କେନ୍ଦୁଝର ରୋଡ, କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ଷ୍ଟେଶନରେ ୨ ମିନିଟ ପାଇଁ ରହିବ ।

ଏହି ବନ୍ଦେ ଭାରତ ଟ୍ରେନରେ ୧୬ଟି ବଗି ସଂଯୋଗ କରା ଯାଇଥିଲା । ଖଡକପୁର ADRM ଗିରିଶ କୁମାରଙ୍କ ନେତୃତ୍ବରେ ଏହି ଟ୍ରେନ ଆସିଥିଲା । ଏହି ଟ୍ରେନ ଭଦ୍ରକରେ ପହଞ୍ଚିବା ପରେ ଭଦ୍ରକ ରେଲୱେ ବିଭାଗ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଟ୍ରେନକୁ ସ୍ଵାଗତ କରିଥିଲେ ।ଏହି ଅତ୍ୟାଧୁନିକ  ଏକ୍ସପ୍ରେସ ଟ୍ରେନରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର  ସୁବିଧା ରହିଛି।   ଯାତ୍ରା ଆରାମଦାୟକ ହେବା ସହ କମ୍ ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ। ବର୍ତ୍ତମାନ ସୁଦ୍ଧାରେ ଦେଶରେ ୯ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି।

ଏହି ଟ୍ରେନରେ ୧୪ଟି ଏସି ଚେୟାର କାର କୋଚ ରହିଛି ଏବଂ ୨ଟି ଏକ୍ଜିକ୍ୟୁଟିଭ ଏସି ଚେୟାରକାର କୋଚ ରହିଛି ଯାହାର ଯାତ୍ରୀ ପରିବହନ କ୍ଷମତା ୧,୧୨୮ ରହିଛି । ଏଥିରେ ହାଇସ୍ପିଡ୍ ଇଣ୍ଟରନେଟ୍, ଆରାମଦାୟକ ଚେୟାର, ବାୟୋ-ଭାକ୍ୟୁମ୍ ଟଏଲେଟ୍, ଜିପିଏସ୍ ଆଧାରିତ ଯାତ୍ରୀଙ୍କ ସୂଚନା ବ୍ୟବସ୍ଥା ଭଳି ଅନେକ ଅତ୍ୟାଧୁନିକ ସୁବିଧା ଓ ସୁବିଧା ରହିଛି। କେନ୍ଦ୍ର ସରକାର ଆସନ୍ତା ୩ ବର୍ଷ ମଧ୍ୟରେ ଦେଶରେ ଏହି ୪୦୦ ବନ୍ଦେ ଭାରତ ଟ୍ରେନ ଚଳାଚଳ କରିବା ପାଇଁ ଯୋଜନା ରଖିଛନ୍ତି ।ବନ୍ଦେ ଭାରତ ସୁପରଫେଷ୍ଟ ଏକ୍ସପ୍ରେସ ଟ୍ରେନ ଦ୍ୱାରା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି। ଆଜି  ପରୀକ୍ଷାମୂଳକ ଭାବେ  ଗଡିବାର ଉଦ୍ଦେଶ୍ୟ ହେଉଛି ଟ୍ରେନ ପରିଚାଳନା ସୁରୁଖୁରୁରେ କରାଇବା ତଥା  ଟ୍ରେନ ଦ୍ୱାରା ଦିଆଯାଉଥିବା ସମସ୍ତ ସୁବିଧା ଏବଂ ଅସୁବିଧା ବାବଦରେ ଅବଗତ ହେବା।

କୋଲକାତାରେ ଏହି ଏକ୍ସପ୍ରେସ ଟ୍ରେନର ପ୍ରାଥମିକ ମେଣ୍ଟେନାନ୍ସ  ୟୁନିଟ ପ୍ରତିଷ୍ଠା କରାଯିବ। ଏହାବ୍ୟତୀତ ପୁରୀ କିମ୍ବା ଭୁବନେଶ୍ୱରରେ ଏକ ସେକେଣ୍ଡାରୀ ମେଣ୍ଟେନାନ୍ସ ୟୁନିଟ୍ ପ୍ରତିଷ୍ଠା ହେବାର ସମ୍ଭାବନା ରହିଛି।ଗତବର୍ଷ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶା ଆସିଥିବାବେଳେ ରାଜ୍ୟରେ ଖୁବ ଶୀଘ୍ର ବନ୍ଦେ ଭାରତ ଟ୍ରେନ ଗଡିବ ବୋଲି ସୂଚନା ଦେଇଥିଲେ ।