କଟକ: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଆଉ ଜଣଙ୍କ ମୃତ୍ୟୁ ହୋଇଛି । କଟକ ଏସସିବି ଟ୍ରମା ଆଇସିୟୁରେ ଚିକିତ୍ସିତ ହେଉଥିବା ବିହାର ରାଜ୍ୟ ସୋହେଲ ମନସୁରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏଥିସହ ବାହାନଗା ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୯୧କୁ ବୃଦ୍ଧି ପାଇଛି ।
ଜୁନ୍ ୨ ତାରିଖ ରାତି ପ୍ରାୟ ୭ଟା ସମୟରେ ବାହାନଗା ଷ୍ଟେସନ ନିକଟରେ ଲୁପ୍ ଲାଇନରେ ଛିଡ଼ା ହୋଇଥିବା ଏକ ଲୁହାପଥର ବୋଝେଇ ମାଲଗାଡ଼ିକୁ ଧକ୍କା ଦେଇଥିଲା କରମଣ୍ଡଳ ଏକ୍ସପ୍ରେସ୍ । ମାଲବାହୀକୁ ଧକ୍କା ଦେବା ପରେ କରମଣ୍ଡଳର କୋଚ୍ ଅଣେତେଣେ ବିଛାଡ଼ି ହୋଇ ପଡ଼ିଥିଲା । ସେହି ସମୟରେ ଅନ୍ୟ ଟ୍ରାକରେ ଯାଉଥିବା ଯଶୱନ୍ତପୁର ହାୱଡ଼ା ସୁପରଫାଷ୍ଟ ମଧ୍ୟ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।
ବାହାନଗା ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଆହତ ହୋଇଥିଲେ । ପରବର୍ତ୍ତୀ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣଙ୍କ ମୃତ୍ୟୁ ହେବା ସହ ସଂଖ୍ୟା ୨୯୧କୁ ବୃଦ୍ଧି ପାଇଛି ।
ତେବେ ମେନ୍ ଲାଇନରେ ସିଗନାଲ୍ ଥାଇ ଲୁପ୍ ଲାଇନରେ କରମଣ୍ଡଳ କିଭଲି ଗଲା ? ତାର ତଦନ୍ତ କରୁଛନ୍ତି ଭିଜିଲାନ୍ସ ଓ ରେଲୱେ ସେଫ୍ଟି କମିଶନର ।