ବେଙ୍ଗାଲୁରୁ ଇନଭେଷ୍ଟର୍ସ ମିଟ୍‌ : ଓଡ଼ିଶାରେ ନିବେଶ କରିବାକୁ ଶିଳ୍ପପତିଙ୍କୁ ଆହ୍ବାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୮।୯ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାରଦିନ ବେଙ୍ଗାଲୁରୁଠାରେ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ନିବେଶକମାନଙ୍କୁ ଓଡ଼ିଶାକୁ ଆମନ୍ତ୍ରଣ ଜଣାଇଛନ୍ତି । ଏହି ଅବସରରେ ଶିଳ୍ପପତିମାନଙ୍କୁ ଓଡିଶାରେ ନିବେଶ କରିବାକୁ ନିମନ୍ତ୍ରଣ କରିବା ସହ ପୁଞ୍ଜି ନିବେଶ ପାଇଁ ଓଡ଼ିଶାରେ କ’ଣ କ’ଣ ସୁବିଧା ରହିଛି ସେ ସମ୍ପର୍କରେ କହିଛନ୍ତି। ଓଡିଶାରେ ବର୍ତ୍ତମାନ ସବୁ କ୍ଷେତ୍ରରେ ଦ୍ରୁତ ବିକାଶ ଘଟୁଛି । ଓଡିଶାରେ ଗଚ୍ଛିତ ଥିବା ପ୍ରାକୃତିକ ସମ୍ପଦ , କୁଶଳୀ ମାନବ ସମ୍ବଳ , ସ୍ଥିର ସରକାର ରହିଥିବାରୁ ଶିଳ୍ପ ଏବଂ ନିବେଶ ପାଇଁ ଓଡିଶା ଏକ ଉପଯୁକ୍ତ ସ୍ଥାନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ବିଭିନ୍ନ କମ୍ପାନିର ସିଇଓ ତଥା ବରିଷ୍ଠ ଅଧିକାରୀମାନଙ୍କୁ ଭେଟିଛନ୍ତି । ସେ ଭେଟିଥିବା ସିଇଓମାନଙ୍କ ମଧ୍ୟରେ ଅଛନ୍ତି ପେଜ୍ ଇଣ୍ଟଷ୍ଟ୍ରିଜର ସିଇଓ ଭି.ଜି.ଗଣେଶ, ଟିଟିକେ ପ୍ରେଷ୍ଟିଜର ସିଇଓ ପି.ସତ୍ୟନାରାୟଣ, ଫ୍ଲିପକାର୍ଟର ରଜନୀଶ କୁମାର, ଆକସେନଚରର ଅଜୟ ବିଜ୍, ଇଣ୍ଡୋ-ଗୌତମ ଶର୍ମା, ନିସାନ ଫୁଡ୍ସର ୟର୍ନଷ୍ଟ ଓ ୟଙ୍ଗର ଗୌରବ ତନେଜା ଓ ଗ୍ଲୋବାଲ ଫନଣ୍ଡ୍ରିର ଜୀତେନ୍ଦ୍ର ଚଢା ।ବର୍ତ୍ତମାନ ଅଧିକାଂଶ ଆଇଟି କମ୍ପାନୀ ଭୁବନେଶ୍ବରରେ ସେମାନଙ୍କ ସେଣ୍ଟର ଖୋଲିଛନ୍ତି। ସହରରେ ଷ୍ଟାଟଅର୍ପ ଇକୋ ସିଷ୍ଟମକୁ ସରକାର ଲଗାତାର ସମର୍ଥନ କରି ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଭାରତ ଶୀର୍ଷ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି।

ମେକ ଇନ ଓଡ଼ିଶା-୨୦୨୨ ଆମ ପାଇଁ ଏକ ପ୍ଲାଟଫର୍ମ। ଭୁବନେଶ୍ବରରେ ମେକ୍ ଇନ ଓଡ଼ିଶା କନକ୍ଲେଭ ନଭେମ୍ବର ୩୦ରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ କରିବାକୁ ଶିଳ୍ପପତିମାନଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ। ଏକ ନୂଆ ଇଣ୍ଡଷ୍ଟ୍ରିଆଲ ଏଜ୍ ଅଫ ଓଡ଼ିଶାରେ ଅଂଶ ହୋଇ ନିବେଶ କରିବାକୁ ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କୁ ଆହ୍ବାନ କରିଥିଲେ।