ପୁଟିନ୍‌ଙ୍କୁ ଭେଟିବା ପରେ ବେଲାରୁଷ୍ ରାଷ୍ଟ୍ରପତି ଲୁକାସେଙ୍କୋଙ୍କ ଅବସ୍ଥା ସଙ୍କଟାପନ୍ନ; ବିଷ ଦିଆଯାଇଥିବା ସନ୍ଦେହ!

ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ଭେଟିବା ପରେ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ବେଲାରୁଷ୍‌ର ରାଷ୍ଟ୍ରପତି ଆଲେକ୍‌ଜେଣ୍ଡର୍‌ ଲୁକାସେଙ୍କୋଙ୍କୁ ତୁରନ୍ତ ମସ୍କୋର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଥା ବେଲାରୁଷ୍‌ ବିରୋଧୀ ନେତା ଭାଲେରି ସେପ୍‌କାଲୋ କହିଛନ୍ତି।

ସେପ୍‌କାଲୋଙ୍କ କହିବା ଅନୁସାରେ, ପୁଟିନ୍‌ଙ୍କୁ ଭେଟିବା ପରେ ଲୁକାସେଙ୍କୋଙ୍କୁ ମସ୍କୋର ‘ସେଣ୍ଟ୍ରାଲ୍‌ କ୍ଲିନିକାଲ୍‌ ହସ୍ପିଟାଲ୍‌’କୁ ନିଆଯାଇଛି। ସେ ସଙ୍କଟଜନକ ଅବସ୍ଥାରେ ଅଛନ୍ତି।

ପ୍ରାଥମିକ ସୂଚନା ଅନୁସାରେ, ପୁଟିନଙ୍କ ସହିତ ରୁଦ୍ଧଦ୍ବାର ବୈଠକ ପରେ ଲୁକାସେଙ୍କୋଙ୍କୁ ତତ୍‌କ୍ଷଣାତ୍‌ ମସ୍କୋର ‘ସେଣ୍ଟ୍ରାଲ୍‌ କ୍ଲିନିକାଲ୍‌ ହସ୍ପିଟାଲ୍‌’କୁ ନିଆଯାଇଥିଲା। ସମ୍ପ୍ରତି ସେ ଚିକିତ୍ସାଧୀନ ଅଛନ୍ତି। ସଙ୍କଟାପନ୍ନ ଅବସ୍ଥାରେ ଥିବା ରୋଗୀମାନଙ୍କୁ ଚିକିତ୍ସା କରୁଥିବା ବିଶିଷ୍ଟ ଡାକ୍ତରମାନଙ୍କ ତତ୍ତ୍ବାବଧାନରେ ତାଙ୍କୁ ରଖାଯାଇଛି। ତାଙ୍କର ରକ୍ତ ପରିଷ୍କରଣ (ବ୍ଲଡ୍‌ ପ୍ୟୁରିଫିକେସନ୍‌) କରାଯାଇଛି। କିନ୍ତୁ, ସେ ଡାକ୍ତରଖାନାରୁ ଅଣାଯିବା ପରିସ୍ଥିତିରେ ନାହାନ୍ତି  ବୋଲି ସେପ୍‌କାଲୋ ଟୁଇଟ୍‌ କରି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ବେଲାରୁଷ୍‌ର ଏକଚ୍ଛତ୍ରବାଦୀ ରାଷ୍ଟ୍ରପତି ଲୁକାସେଙ୍କୋଙ୍କୁ ବଞ୍ଚାଇବା କରାଯାଉଥିବା ବ୍ୟବସ୍ଥିତ ଉଦ୍ୟମରୁ ସନ୍ଦେହ ହେଉଛି ଯେ, ତାଙ୍କୁ ବିଷ ଦିଆଯାଇଛି ଏବଂ ସେଥିରେ କ୍ରେମ୍‌ଲିନ୍‌ ସମ୍ପୃକ୍ତ ଅଛି।

ସୂଚନାଯୋଗ୍ୟ, ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଲୁକାସେଙ୍କୋ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ କିଛି ଦିନ ହେବ ଗୁଜବ ଉଠିଛି।

ମେ ୯ ତାରିଖ ଦିନ ମଧ୍ୟ ଲୁକାସେଙ୍କୋ ରୁଷ୍‌ ଯାଇଥିଲେ। ମସ୍କୋରେ ବିଜୟ ଦିବସ ପରେଡ୍‌ ଶେଷ ହେବାକ୍ଷଣି ସ୍ବଦେଶକୁ ଫେରିଆସିଥିଲେ। ରୁଷୀୟ ରାଷ୍ଟ୍ରପତି ପୁଟିନ୍‌ଙ୍କ ସହିତ ସେ ମଧ୍ୟାହ୍ନ ଭୋଜନ ବି ଖାଇ ନ ଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରୁଷ୍‌ ଗସ୍ତ ସମୟରେ ଲୁକାସେଙ୍କୋ କ୍ଳାନ୍ତ ଦିଶୁଥିଲେ ଏବଂ ଡାହାଣ ହାତରେ ବ୍ୟାଣ୍ଡେଜ୍‌ ଗୁଡ଼ାହୋଇଥିଲା।