ଛୁଟିରେ ଘର ଖାଲି କରି ଯିବା ପୂର୍ବରୁ…

ଯେତେବେଳେ ଆପଣ ଛୁଟିରେ ବାହାରକୁ ଘର ଖାଲି କରିଯାଉଛନ୍ତି, ନିଜ ଘରର ସମସ୍ତ ଜିନିଷ ନିରାପଦ ଏବଂ ସୁରକ୍ଷିତ ରହିବ କି ନାହିଁ ସେ ସମ୍ପର୍କରେ ଆପଣ ନିଶ୍ଚିନ୍ତ ତ ? ବିଲେଇ ମାଛ ବାସ୍ନା ବାରିପାରିବା ପରି ଘର ଖାଲିର ବାସ୍ନା ଚୋର ନାକରେ ହୁଏତ ବାଜିଯାଇପାରେ । ତେଣୁ ଏଥିପାଇଁ କ’ଣ କରିବାକୁ ହେବ ସେ ସମ୍ପର୍କରେ କେତୋଟି କଥା ଜାଣିରଖନ୍ତୁ ।
-ଛୁଟିରେ ଘର ଖାଲି କରି ଯିବା ପୂର୍ବରୁ କେବଳ ନିର୍ଦ୍ଦିଷ୍ଟ କେତୋଟି ଦିନର ଖବରକାଗଜ ବନ୍ଦ କରିବା ଲାଗି ହକର୍‍କୁ କୁହନ୍ତୁ । ଯଦ୍ୱାରା ଚୋର ଚଉତା ଖବରକାଗଜ ଆପଣଙ୍କ ଘର ସମ୍ମୁଖରେ ପଡ଼ିଥିବା ଦେଖି ଆପଣ ଘରେ ଅନୁପସ୍ଥିତ ଥିବା ଜାଣିପାରିବନାହିଁ । ସେହିପରି ଗୋଟିଏ ଗାମୁଛା, ଲୁଙ୍ଗି ବାହାର ପଟେ ଶୁଖାଇ ରଖନ୍ତୁ । ଫଳରେ ଆପଣ ଯେ ଖୁବ୍‍ କମ୍‍ ସମୟ ବ୍ୟବଧାନ ପାଇଁ ବାହାରକୁ ଯାଇଛନ୍ତି ଓ ଯେକୌଣସି ମୁହୂର୍ତ୍ତରେ ଫେରି ଆସିବାର ଆଶଙ୍କା ରହିଛି ବୋଲି ଭାବି ଚୋର ଚୋରି କରିବାକୁ ସାହସ କରିପାରିବନାହିଁ । ଘରେ ଯଦି ଆଲାରାମ୍‍ କାନ୍ଥ ଘଣ୍ଟା ଥାଏ, ତାକୁ ଅନ୍‍ କରି ରଖିଯାଆନ୍ତୁ ।
-ସର୍ବ ସମକ୍ଷରେ ନିଜର ଛୁଟି ଦିନର ଯୋଜନା ସମ୍ପର୍କରେ ଆଲୋଚନା କରନ୍ତୁ ନାହିଁ । ଏଥିରେ ମଧ୍ୟ ଚୋରିର ଆଶଙ୍କା ରହିଛି ।
-ଯଦି ଘରେ ଫ୍ରିଜ୍‍ ଥାଏ ତେବେ ଫ୍ରିଜ୍‍ରୁ ସମସ୍ତ ଖାଦ୍ୟ ଓ ଖାଦ୍ୟ ସାମଗ୍ରୀ କାଢ଼ି ନିଅନ୍ତୁ । ଫ୍ରିଜ୍‍କୁ ଭଲ ଭାବେ ପରିଷ୍କାର କରନ୍ତୁ ।
-ସମସ୍ତ ବୈଦ୍ୟୁତିକ ଉପକରଣ ଜିନିଷକୁ ମୁଖ୍ୟ ବିଦ୍ୟୁତ ସ୍ରୋତରୁ ବିଚ୍ଛିନ୍ନ କରନ୍ତୁ । ଆଣ୍ଟିନା ତା’ରକୁ ଟି.ଭିରୁ କାଢ଼ି ଦିଅନ୍ତୁ । ସମସ୍ତ ଗ୍ରିଲ୍‍, ଝରକା ଇତ୍ୟାଦି ଭଲ ଭାବରେ ବନ୍ଦ କରନ୍ତୁ । ଯଦି ଘରେ ଗ୍ୟାସ ଥାଏ, ତେବେ ଗ୍ୟାସରୁ ପାଇପ୍‍ ମଧ୍ୟ ବିଚ୍ଛିନ୍ନ କରନ୍ତୁ ।