ଭୁବନେଶ୍ୱର: ଆଜି ବିଧାନସଭାରେ ବିଜେଡି ବିଧାୟକ ସନାତନ ମହାକୁଡ଼ଙ୍କୁ ନବୀନ ପଟ୍ଟନାୟକ ତାଗିଦ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ମହାକୁଡ଼ । ସେ କହିଛନ୍ତି ଯେ ମୁଁ ବିଜେଡି ସହ ଅଛି ଓ ଆଗକୁ ମଧ୍ୟ ରହିବି । ମୁଁ ଦଳଠାରୁ ଦୂରେଇନି । ଦଳ ସହ ଅଛି ଓ ରହିବି । ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କୁ ପାଖକୁ ଯାଉଛୁ । ଆଲୋଚନା କରୁଛୁ ବୋଲି ସନତାନ ମହାକୁଡ଼ କହିଛନ୍ତି । ପ୍ରକାଶ ଯେ ଚମ୍ପୁଆ ବିଜେଡି ବିଧାୟକ ସନାତନ ମହାକୁଡ଼ଙ୍କୁ ଗୁରୁବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଧାନସଭାରେ ତେରଛା ବାଣ ମାରିଥିଲେ । ଗତକାଲି ଶଙ୍ଖଭବନରେ ବିଧାନସଭାର ବଜେଟ ଅଧିବେଶନ ନେଇ ବସିଥିବା ବିଜେଡି ବିଧାୟକ ଦଳ ବୈଠକୁ ସନାତନ ମହାକୁଡ଼ ଆସିନଥିଲେ । ତେବେ ଆଜି ବିଧାନସଭାରେ ତାହାର କାରଣ ସମ୍ପର୍କରେ ନବୀନ ସନାତନ ମହାକୁଡ଼ଙ୍କୁ ପଚାରିଥିଲେ । ବିଜେଡି ବିଧାୟକ ଦଳ ବୈଠକକୁ କାହିଁକି ଆସିଲନାହିଁ ବୋଲି ନବୀନ ତାଙ୍କୁ ପଚାରିଥିଲେ । ଏହାର ଉତ୍ତରରେ ସନାତନ ମହାକୁଡ଼ ଅସୁସ୍ଥତା କାରଣ ଦର୍ଶାଇଥିଲେ । ତେବେ ନବୀନ ପଟ୍ଟନାୟକ ତାଙ୍କୁ ବିଜେପି ଆଡ଼କୁ ଯାଉଛନ୍ତି କି ବୋଲି କହି ତେରଛା ବାଣ ମାରିଥିଲେ ।