ସ୍ୱାଭିମାନର ସହ ସ୍ୱାବଲମ୍ବୀ ହୁଅ : କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ଯୁବ ସମାଜର ଆବଶ୍ୟକତା ହେଉଛି ସମ୍ମାନ ଓ ସ୍ୱାଭିମାନର ସହ ସ୍ୱାବଲମ୍ବୀ ହେବା ଏବଂ ଏହି ସ୍ୱାବଲମ୍ବୀ ହେବା ପାଇଁ ପରିଶ୍ରମ କରିବା ଦରକାର ବୋଲି ଶନିବାର ଭୁବନେଶ୍ୱର ଠାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ ଦ୍ୱାରା ଆୟୋଜିତ “ରାଜ୍ୟସ୍ତରୀୟ ଯୁବ ମହୋତ୍ସବ – ୨୦୨୩”କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଯୁବଗୋଷ୍ଠୀଙ୍କ ଭାବନାକୁ ସଠିକ୍ ଦିଗରେ ପ୍ରେରିତ କରିବା ଏବଂ ସେମାନଙ୍କ ମଧ୍ୟରେ ସାଂସ୍କୃତିକ ବିବିଧତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯୁବକମାନଙ୍କ ଉତ୍ସାହ, ସାହସ, ସୃଜନଶୀଳତା ସମାଜକୁ ଅନୁପ୍ରାଣିତ କରିବା ସହ ଦିଗଦର୍ଶନ ଦେଇଥାଏ । ଆମର ଜାତି, ସମାଜ, ଭାଷାକୁ ଅକ୍ଷୁର୍ଣ୍ଣ ରଖିବା ଭଳି ଭାବନା ଯୁବକଙ୍କ ମନରେ ତିଆରି କରିବାକୁ ପଡିବ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଆରମ୍ଭ ହୋଇଥିବା ମାଇ ଭାରତ ସଂଗଠନ ବିକଶିତ ଭାରତର ନିର୍ମାଣରେ ଯୁବଶକ୍ତିଙ୍କ ଏକଜୁଟ କରିବାର ବଡ ସୁଯୋଗ ଦେଇଛି ।

ଭାରତ @୨୦୪୭ କଥାବସ୍ତୁ ଉପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଯୁବକ ଯୁବତୀଙ୍କୁ ବିକଶିତ ଭାରତ ପାଇଁ ପଞ୍ଚ ପ୍ରଣର ସଂକଳ୍ପ ପାଠ କରାଇଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ ଆଜିର ଯୁବପିଢିଙ୍କ କାନ୍ଧରେ ହିଁ ଦେଶ ଚରମ ବୈଭବକୁ ପହଞ୍ଚିବ । ଏଥିପାଇଁ ଆମକୁ ଦାସତ୍ୱ ଓ ବିଦେଶୀ ମାନସିକତାକୁ ଦୂର କରିବାକୁ ହେବ । ଦେଶର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବ କରିବାକୁ ହେବ । ଦେଶର ଏକତା ଓ ଅଖଣ୍ଡତାକୁ ଯେଭଳି କ୍ଷତି ନପହଞ୍ଚିବ, ସେଥିପାଇଁ ଆଗଭର ହେବାକୁ ପଡିବ । ନାଗରିକ ଭାବେ କେବଳ ଅଧିକାର ନୁହେଁ ବରଂ ସମାଜର କର୍ତ୍ତବ୍ୟ ଓ ଦାୟିତ୍ୱ ନେବା ପାଇଁ ପଡିବ । ଦାୟିତ୍ୱ ନେଲେ ହିଁ ୧୦ ଜଣଙ୍କ ଅଧିକାର ସୁରକ୍ଷିତ ରହିବ । ଚାକିରି କରିବା ପାଇଁ ନୁହେଁ, ଚାକିରି ଦେବା ପାଇଁ ପ୍ରସ୍ତୁତ ହେବା ପାଇଁ ପଡ଼ିବ । ଏଥିପାଇଁ ନିଜ ନିଜ ଢଙ୍ଗରେ ଯୋଜନା କରିବା ସହ ବଡ ଭାବିବା ଓ ବଡ ସ୍ୱପ୍ନ ଦେଖିବା ଦରକାର । ପରିଶ୍ରମୀ ଓ ବୁଦ୍ଧିମତା ଓଡ଼ିଆ ପିଲାମାନେ ନିଜ ବିଷୟରେ ନୁହେଁ ବରଂ ପରିବାର ଓ ସମାଜ ପାଇଁ ଚିନ୍ତା କରିଥାଏ । ସାଧାରଣ ପରିବାରର ପିଲା ମାନେ ଏବେ ଅପାର ସମ୍ଭାବନାର ହିମାଳୟ ପର୍ବତର ଶିଖର ଛୁଇଁଛନ୍ତି।

ରାଜ୍ୟସ୍ତରୀୟ ଯୁବ ମହୋତ୍ସବରେ ଚିତ୍ରାଙ୍କନ, କବିତା ଲେଖନୀ, ବକ୍ତୃତା ଏବଂ ସାଂସ୍କୃତିକ କାର୍ଯକ୍ରମ ବ୍ୟତିତ ମୋବାଇଲ ଫଟୋଗ୍ରାଫି ଭଳି ନୂଆ ପ୍ରତିଯୋଗିତା ଯୋଡାଯାଇଥିବାରୁ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଥିଲେ । ସେ କହିତିୱେ ଓଡ଼ିଶାର କଳା, ସଂସ୍କୃତିର ଅପାର ପ୍ରୟୋଗଶାଳା, ଅପାର ଭଣ୍ଡାର । ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ମାଧ୍ୟମରେ ଯେଉଁ ବିଜେତାମାନେ ଦିଲ୍ଲୀରେ ଜାତୀୟ ସ୍ତରରେ ଭାଗନେବେ, ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।