ରଣକ୍ଷେତ୍ର ପାଲଟିଲା ଦଣ୍ଡନାଚ ସ୍ଥଳ: ଦୁଇ ଦଣ୍ଡୁଆ ଦଳ ମଧ୍ୟରେ ମାରପିଟ୍, ଭିଡିଓ ଭାଇରାଲ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ସୁନ୍ଦରାପଲ୍ଲୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁରେ ପଞ୍ଚୁଦଣ୍ଡ ଚାଲିଥିବା ସମୟରେ ଦୁଇଟି ଦଣ୍ଡୁଆ ଦଳ ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ଉପୁଜିଥିଲା। ଏହି ବିବାଦ ଏତେ ଉଗ୍ର ରୂପ ନେଇଥିଲା ଯେ ଦୁଇ ଦଳର ଦଣ୍ଡୁଆମାନେ ପରସ୍ପରକୁ ମାରପିଟ୍ କରିବାକୁ ପଛାଇ ନଥିଲେ। ହିଞ୍ଜିଳିକାଟୁର ସାନ ପାର୍ଟି ଏବଂ ପୁରୁଷୋତ୍ତମପୁରର ଗୌଡ ପାର୍ଟି ମଧ୍ୟରେ ଏହି ସଂଘର୍ଷ ଘଟିଛି। ଦଣ୍ଡୁଆଙ୍କ ମଧ୍ୟରେ ହୋଇଥିବା ଏହି ମାରପିଟ୍‌ର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ମାରପିଟ୍ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୋଲିସ ସୁନ୍ଦରାପଲ୍ଲୀ ଗ୍ରାମରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣରୁ ଏହି ଗଣ୍ଡଗୋଳର ସୂତ୍ରପାତ ହେଲା, ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ଆଧିକାରିକ ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

Battleground turns into dance venue: Fight between two dance groups