ବାସନ୍ତୀ ଭିଲ୍ଲାରେ ଭୟଙ୍କର ଅଗ୍ନିକାଣ୍ଡ: ଶ୍ବାସରୁଦ୍ଧରେ ଚାଲିଗଲା ୩ ଜୀବନ

ଭୁବନେଶ୍ୱର: ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ବାସନ୍ତୀ ଭିଲ୍ଲା ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି, ୩ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ବାସନ୍ତୀ ଭିଲ୍ଲା ଆପାର୍ଟମେଣ୍ଟର ଇଲେକ୍ଟ୍ରିକାଲ୍ ପ୍ୟାନେଲ୍ ବୋର୍ଡ ସର୍ଟ ସର୍କିଟରୁ ଗାର୍ଡ ରୁମ୍ ରେ ନିଆଁ ଲାଗିଥିଲା । ଶ୍ବାସରୁଦ୍ଧ ହୋଇ ଜଣେ ସୁରକ୍ଷା କର୍ମୀ ଓ ଜଣେ କେୟାର ଟେକର୍ ଙ୍କ ମୃତ୍ୟୁ ହୋଇଥିଲା। ଜଣେ ନାବାଳିକା ଝିଅ ଅଗ୍ନିକାଣ୍ଡରେ ଗୁରୁତର ହୋଇଥିଲା । ତାଙ୍କୁ ଉଦ୍ଧାର କରି କଟକ SCBରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା । ମୃତ ସୁରକ୍ଷାକର୍ମୀ ଏବଂ କେୟାର ଟେକର ହେଲେ ସ୍ବାମୀ-ସ୍ତ୍ରୀ। ମୃତ ନାବାଳିକା ହେଲା ସେମାନଙ୍କ ନାତୁଣୀ। ବାସନ୍ତୀ ଆପାର୍ଟମେଣ୍ଟରେ ୧୫ ବର୍ଷ ଧରି ବିଶ୍ଵନାଥ ବେହେରା ଏବଂ ସୁଲଭା ବେହେରା କେୟାର ଟେକର ଭାବରେ କାର୍ଯ୍ୟ କରୁଥିଲେ । ଭୋର ୪ଟାରେ ଅଗ୍ନିକାଣ୍ଡ ଘଟିଥିବାବେଳେ ଅଗ୍ନିଶମବାହିନୀ ସେଠାରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ଖବର ପାଇବା ପରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଓ ବିଜେପି ନେତା ଜଗନ୍ନାଥ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚିଥିଲେ।