ବିଜେଡି ରେ ବର୍ଷା : ଭଦ୍ରକରେ କଲେ ଜୋରଦାର ପ୍ରଚାର

ବିଜେଡି କ୍ୟାମ୍ପ ରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ I ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଗାଁ ଦାଣ୍ଡରେ ମାଳ ମାଳ ନେତାଙ୍କ ସହିତ ଷ୍ଟାର କ୍ୟାମ୍ପେନର ଯୋଗ ଦେଲେଣି I ସିନେ ତାରକାଙ୍କ ପ୍ରତି ଆମ ଲୋକଙ୍କ ଭିତରେ ସ୍ୱତନ୍ତ୍ର ଆକର୍ଷଣ ଥିବାରୁ ସେମାନଙ୍କୁ ଦେଖିବା ପାଇଁ ଗାଁ ଗୁଡିକରେ ଭିଡ଼ ଅସମ୍ଭାଳ ହେଉଛି I ବିଜେଡି ପାଇଁ ବର୍ଷା ପ୍ରିୟଦର୍ଶିନୀ ପ୍ରଚାର କରିଥିବାବଳେ ବିଜେଡି ସାଂସଦ ତଥା ସ୍ୱାମୀ ଅନୁଭବ ମହାନ୍ତିଙ୍କୁ ନିଜ ନିର୍ବାଚନ କ୍ଷେତ୍ର କେନ୍ଦ୍ରାପଡା ରେ ବି ଦେଖିବାକୁ ମିଳି ନାହିଁ I ତାଙ୍କ ସ୍ଥାନରେ ବିଜେଡି ର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି । ଭଦ୍ରକ ବ୍ଲକ ବ୍ରହ୍ମପୁର ପଂଚାୟତରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବର୍ଷା । ବାଇକ ଶୋଭାଯାତ୍ରାରେ ସାମିଲ ହୋଇ, ବିଭିନ୍ନ ଗାଁ ବୁଲି ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ବର୍ଷାଙ୍କ ଏହି ପ୍ରଚାର ବର୍ଷା ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଆଉ ଆଗାମି ଦିନରେ ବର୍ଷା ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ବିଜେଡି ସାଂସଦ ଅନୁଭବଙ୍କୁ ଅଣଦେଖା କରି ପତ୍ନୀ ବର୍ଷାଙ୍କୁ ସାମନାକୁ ଆଣିବା ଏବେ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି। ବିଜେଡିର ଏଭଳି ଆଭିମୁଖ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି I