ନୂଆଦିଲ୍ଲୀ: ଛତିଶଗଡ଼ର କାଙ୍କେର ଓ ନାରାୟଣପୁର ଜିଲ୍ଲା ସୀମାରେ ମାଓବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି। ଡିମାଇନିଂ ଅପରେସନ୍ ସମୟରେ ଏକ ଆଇଇଡି (IED) ବିସ୍ଫୋରଣ ଘଟି ୪ ଜଣ ଡିଆରଜି (DRG) ଯବାନ ସହିଦ ହୋଇଛନ୍ତି। ଛୋଟେବେଠିଆ ପୋଲିସ ଷ୍ଟେସନ୍ ଅନ୍ତର୍ଗତ କୋରୋସ୍କୋଡା ଜଙ୍ଗଲ ଅଞ୍ଚଳ (କାଙ୍କେର-ନାରାୟଣପୁର ସୀମା)। ନକ୍ସଲମାନଙ୍କ ଦ୍ୱାରା ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ୍ଗୁଡ଼ିକୁ ଚିହ୍ନଟ ଓ ନିଷ୍କ୍ରିୟ କରିବା ପାଇଁ ଯବାନମାନେ ସର୍ଚ୍ଚ ଅପରେସନ୍ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ବିସ୍ଫୋରଣ ସ୍ଥଳରେ ହିଁ ୩ ଜଣ ଯବାନ ସହିଦ ହୋଇଥିଲେ। ଗୁରୁତର ଅବସ୍ଥାରେ ଜଣେ ଯବାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରାୟପୁର ପଠାଯାଇଥିଲା, ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଛି। କାଙ୍କେର ଏସପି ନିଖିଲ ରାଖେଚା ଏହି ଘଟଣାର ସୂଚନା ଦେବା ସହ ସହିଦ ଯବାନଙ୍କ ସମ୍ପର୍କରେ ନିଶ୍ଚିତ କରିଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ମାଧ୍ୟମରେ ସହିଦଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଏହାକୁ ଏକ କାପୁରୁଷୋଚିତ କାର୍ଯ୍ୟ ବୋଲି ଅଭିହିତ କରିଛନ୍ତି।